ଆଉ ଗୋଟିଏ ଦିନର ଅପେକ୍ଷା । ଆସନ୍ତାକାଲି (ରବିବାର) ଟି-ଟ୍ୱେଣ୍ଟି ବିଶ୍ୱକପ ୨୦୨୬ର ଫାଇନାଲ ଫାଇଟ୍ ଖେଳାଯିବ । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବେ ଡିଫେଣ୍ଡିଂ ଚାମ୍ପିଅନ ଭାରତ ବନାମ ନ୍ୟୁଜିଲାଣ୍ଡ । ଲକ୍ଷାଧିକ ଦର୍ଶକରେ ଷ୍ଟାଡ଼ିୟମ୍ ହେବ ହାଉସ୍ ଫୁଲ୍ । ଏବେଠୁ ଦର୍ଶକ ଅହମ୍ମଦାବାଦରେ ଡେରା ପକାଇଲେଣି । ଶୁକ୍ରବାର ନ୍ୟୁଜିଲାଣ୍ଡ ଦଳ ଜୋରଦାର ଅଭ୍ୟାସ କରିଛି । ଦିନକ ତଳେ ସେମି ଫାଇନାଲ୍ ଖେଳିଥିବା ଭାରତୀୟ ଦଳ ବିଶ୍ରାମ ନେଇଛି । ନ୍ୟୁଜିଲାଣ୍ଡ ଦ୍ୱିତୀୟ ଥର ପାଇଁ ଫାଇନାଲ୍ ଖେଳିବାକୁ ଯାଉଛି ।
ପୂର୍ବରୁ କେବଳ ୨୦୨୧ ସଂସ୍କରଣର ଫାଇନାଲ୍ ଖେଳିଥିଲା ଓ ଅଷ୍ଟ୍ରେଲିଆ ଠାରୁ ପରାଜିତ ହୋଇ ରନର୍ସ ଅପ୍ରେ ସନ୍ତୁଷ୍ଟ ହୋଇଥିଲା । ଭାରତ ଟି-ଟ୍ୱେଣ୍ଟି ବିଶ୍ୱକପ୍ରେ ପ୍ରଥମ ଦଳ ଭାବେ ସର୍ବାଧିକ ଚତୁର୍ଥ ଥର ପାଇଁ ଫାଇନାଲ୍ ଖେଳିବାକୁ ଯାଉଛି । ପୂର୍ବରୁ ଦଳ ୨ଥର ଚାମ୍ପିଅନ୍ (୨୦୦୭ ଓ ୨୦୨୪) ହୋଇ ସାରିଛି । ୨୦୧୪ ବିଶ୍ୱକପ୍ରେ ମଧ୍ୟ ଭାରତ ରନର୍ସ ଅପ୍ ହୋଇଥିଲା । ଭାରତ ଟି-ଟ୍ୱେଣ୍ଟି ବିଶ୍ୱକପ ମ୍ୟାଚରେ ନ୍ୟୁଜିଲାଣ୍ଡକୁ କେବେ ବି ହରାଇ ନାହିଁ । ଦୁଇ ଦଳ ମଧ୍ୟରେ ହୋଇଥିବା ୩ଟି ମ୍ୟାଚ କିୱି ଦଳ ଜିତିଛି । ଏମିତି ସ୍ଥିତିରେ ଭାରତ ପାଇଁ ସୁପର ସନଣ୍ଡେ ଫାଇନାଲ ମ୍ୟାଚ ବଡ଼ ଯୁଦ୍ଧଠୁ କମ ନୁହେଁ ।
ମୋଟାମୋଟି ଭାବେ ଦେଖିବାକୁ ଗଲେ ଦୁଇ ଦଳ ୩ଟି ଟି-ଟ୍ୱେଣ୍ଟି ମ୍ୟାଚ ଖେଳିଛନ୍ତି । ଯେଉଁଠି ଭାରତ ୧୬ଟି ମ୍ୟାଚ ଜିତିଛି । ନ୍ୟୁଜିଲାଣ୍ଡ ୧୧ଟି ଜିତିଛି । ୩ଟି ମ୍ୟାଚ ଡ୍ର ହୋଇଛି । ଏହି ୩ଟି ଟାଏ ମ୍ୟାଚରୁ ୨ଟି ଭାରତୀୟ ଟିମ ସୁପର ଓଭରରେ ଜିତିଛି । ଗୋଟିଏ ଡିଏଲଏସ ପାଇଁ ଟାଇ ହୋଇଥିଲା । ସେମିଫାଇନାଲରେ ଭାରତ ଇଂଲଣ୍ଡକୁ ୭ ରନରେ ହରାଇଥିଲା । ୨୫୭ରନର ବିଶାଳ ଟାର୍ଗେଟ ସେଟ୍ କରିଥିଲା ଟିମ୍ ଇଣ୍ଡିଆ । ଇଂଲଣ୍ଡ ୨୪୬ କରିବାରେ ସକ୍ଷମ ହୋଇଥିଲା । ଏହି ମ୍ୟାଚରେ ଭାରତୀୟ ବ୍ୟାଟର ଦମଦାର ପ୍ରଦର୍ଶନ କରିଥିଲେ । ସଞ୍ଜୁ ସାମସନ ୪୨ ବଲରେ ୮୯ ରନ୍ କରିଥିଲେ । ଅନ୍ୟ ବ୍ୟାଟର ବି ଭଲ ଖେଳିଥିଲେ । ବୋଲର ନିରାଶ କରିଥିଲେ ।
ଅର୍ଶଦୀପ ୪ ଓଭରରେ ୫୧ ରନ ଦେଇ ଗୋଟିଏ ୱିକେଟ ନେଇଥିଲେ । ବରୁଣ ଚକ୍ରବର୍ତ୍ତୀ ଶସ୍ତା ସାବ୍ୟସ୍ତ ହୋଇଥିଲେ । ସେ ୪ ଓଭର ବୋଲିଂ କରି ୬୪ ରନ୍ ଦେଇଥିଲେ । ଗୋଟିଏ ୱିକେଟ ନେଇଥିଲେ । ତାଙ୍କ ବୋଲିଂ ନୈରାଶ୍ୟଜନକ ଥିଲା । ଏବେ ପ୍ରଶ୍ନ ଉଠୁଛି ଫାଇନାଲରେ ଭାରତୀୟ ଟିମ୍ ପ୍ଲେଇଂ ଇଲେଭେନରେ ପରିବର୍ତ୍ତନ କରିବ କି ? ପୁରା ଟୁର୍ଣ୍ଣାମେଣ୍ଟରେ ବେଞ୍ଚରେ ବସିଥିବା କୁଳଦୀପ ଯାଦବଙ୍କୁ ସୁଯୋଗ ମିଳିବ କି ? ସେହିପରି ଅଭିଷେକ ଶର୍ମାଙ୍କ ଫର୍ମ ବି ଚିନ୍ତାଜନକ ।
