ଭୁବନେଶ୍ୱର: ଚାଷୀ ପ୍ରସଙ୍ଗକୁ ନେଇ ବିଧାନସଭା ହୁଲସ୍ତୁଲ। ଧାନ କିଣା ଅବ୍ୟବସ୍ଥା, ମଣ୍ଡି ସମସ୍ୟା, କଟଣୀ ଛଟନି ପ୍ରସଙ୍ଗରେ ଗୃହରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ । ଶୂନ୍ୟକାଳ ଆରମ୍ଭରୁ ବିଜେଡି ଓ କଂଗ୍ରେସର ହୋହାଲ୍ଲା ଯୋଗୁଁ ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି । ସରକାର ଚାଷୀଙ୍କଠାରୁ ଧାନ ନକିଣିବା ଯାଏ ବିଧାନସଭାରେ ଗୃହ ଅଚଳ ରହିବ ବୋଲି କହୁଛନ୍ତି ବିରୋଧୀ।
ଆଜି ବିଧାନସଭା ବଜେଟ୍ ଅଧିବେଶନର ୫ ଦିନରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଚାଷୀ ସମସ୍ୟାକୁ ନେଇ ବିରୋଧୀ ସଦସ୍ୟମାନେ ହୋହାଲ୍ଲା ଏବଂ ନାରାବାଜି କରିଥିଲେ । ଏପିରିକି ଗୃହ ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ । ଶେଷରେ ବାଧ୍ୟ ହୋଇ ବାଚସ୍ପତି ବିଧାନସଭାକୁ ସକାଳ ସାଢେ ୧୧ଟା ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ । ଏହାପରେ ପୁଣି ଆରମ୍ଭ ହୋଇଥିଲା ବିଧାନସଭା । ହେଲେ ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ପୁଣି ହୋଇଥିଲା ହଙ୍ଗାମା । ଶେଷରେ ବାଧ୍ୟ ହୋଇ ବିଧାନସଭାକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ରଖିଛନ୍ତି ।

