ହଜିଲା ପୁଅକୁ ୨ ମାସ ପରେ ଫେରି ପାଇଲା ମା’ । ଆଉ ଖୁସିରେ ଆତ୍ମହରା ହୋଇ ତା’ ପୁଅକୁ ଖୋଜି ଆଣିଥିବା ଥାନା ବାବୁଙ୍କୁ କୁଣ୍ଢାଇ ପକାଇ ଗେଲ କରି ପକାଇଥିଲେ । ମୁଣ୍ଡରେ ହାତ ଥୋଇ ଅଜସ୍ର ଆଶୀର୍ବାଦ ଅଜାଡ଼ି ପକାଇଥିଲେ । ଆଜି ଏଭଳି ନୂଆପଲ୍ଲୀ ଥାନାରେ ଏଭଳି ନିଆରା ଦୃଶ୍ୟ ଦେଖୁଥିବା ଦେଖଣାହାରୀ ମଧ୍ୟ ଖୁସିରେ ଭାବବିହ୍ୱଳ ହୋଇ ପଡ଼ିଥିଲେ ।
ସୂଚନା ଥାଉକି, ନୂଆପଲ୍ଲୀ ଦେବରାୟ କଲେଜ ନିକଟ ମଶାଣି ବସ୍ତିରେ ରହୁଥିବା ନାଗା ମହାକୁଡ଼ଙ୍କ ୨୩ ବର୍ଷୀୟ ପୁଅ ଆନନ୍ଦ ମହାକୁଡ଼ ପ୍ରାୟ ୨ ମାସ ହେବ କେଉଁଆଡ଼େ ନିଖୋଜ ହୋଇ ଯାଇଥିଲେ । ସେ ଭଲରେ କଥା ହୋଇ ପାରୁ ନଥିବା ବେଳେ ମାନସିକ ଅନଗ୍ରସର ଥିଲେ । କାହାସହ ସାଙ୍ଗସାଥୀ ହେଉ ନଥିଲେ । ତେବେ ସେ ଘରୁ ଯିବା ପରେ ମା’ ନାଗା ମହାକୁଡ଼ ବହୁ ଖୋଜାଖୋଜି କରିଥିଲେ । ସାହିପଡ଼ିଶାଠାରୁ ଆରମ୍ଭ କରି ବନ୍ଧୁବାନ୍ଧବଙ୍କ ଘର ଖୋଜି ବୁଲିଥିଲେ । ହେଲେ ପୁଅର କୌଣସି ସନ୍ଧାନ ପାଇ ନଥିଲେ । ମାସକ ତଳେ ସେ ଏନେଇ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ମଧ୍ୟ ଏକ ନିଖୋଜ ମାମଲା ରୁଜୁକରି ବସିଥିଲା । ହେଲେ ଗତକାଲି ନାଗା ପୁଅର ଫଟୋକୁ ଧରି ଥାନା ଦୁଆରେ ପହଞ୍ଚିଥିଲେ । ପୁଲିସକୁ ନେହୁରା ହୋଇଥିଲେ ମୋ ପୁଅକୁ ଖୋଜିଆଣ । ସେ ଓଲା ପିଲାଟା । ତାକୁ କେହି ମାରିଦେବେ । ଏମିତି ଅନେକ ନେହୁରା ହୋଇଥିଲେ । ଥାନା ଅଧିକାରୀ ଆନନ୍ଦଙ୍କ ଫଟୋକୁ ବିଭିନ୍ନ ଥାନାକୁ ପଠାଇଥିଲେ ।
