ରଣବୀରଙ୍କୁ ଧମକ । ବଲିଉଡ ସୁପରଷ୍ଟାର ରଣବୀର ସିଂଙ୍କୁ କୋଟି କୋଟି ଟଙ୍କା ଦାବି ସହ ମିଳିଛି ଧମକପୂର୍ଣ୍ଣ ହ୍ୱାଟ୍ସ ଆପ୍ କଲ । ହ୍ୱାଟସଆପ୍ ଭଏସ୍ ନୋଟରେ ଏହି ଧମକପୂର୍ଣ୍ଣ ବାର୍ତ୍ତା ମିଳିଛି। ଧମକ ମିଳିବା ପରେ ରଣବୀର ତୁରନ୍ତ ମୁମ୍ବାଇ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ପକ୍ଷରୁ ରଣବୀରଙ୍କ ବାସଭବନ ଓ ହାଉସିଂ ସୋସାଇଟି ବାହାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ମୁମ୍ବାଇ ପୋଲିସର କ୍ରାଇମବ୍ରାଞ୍ଚ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।
ଡିଜିଟାଲ ପ୍ରମାଣ ଏବଂ ଭଏସ୍ ନୋଟ୍ କେଉଁଠାରୁ ଆସିଛି ଯାଞ୍ଚ କରାଯାଉଛି। ନିକଟରେ ଚଳଚ୍ଚିତ୍ର ନିର୍ଦ୍ଦେଶକ ରୋହିତ ଶେଟ୍ଟୀଙ୍କ ଘର ବାହାରେ ଗୁଳିମାଡ଼ ହୋଇଥିଲା। ଏହି ଧମକ ସହ ସେହି ଘଟଣାର କୌଣସି ସମ୍ପର୍କ ଅଛି କି ନାହିଁ ସେ ଦିଗରେ ମଧ୍ୟ ପୋଲିସ ତଦନ୍ତ ଜାରି ରହିଛି। ରଣବୀରଙ୍କୁ ଧମକ ପାଇଁ କୌଣସି ଗ୍ୟାଙ୍ଗ ନିଜକୁ ଦାୟୀ କରିନଥିବା ବେଳେ ଏହା ପଛରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସମ୍ପୃକ୍ତି ଥିବା ଚର୍ଚ୍ଚା ହେଉଛି। ପୋଲିସ ବର୍ତ୍ତମାନ ସେହି ହ୍ୱାଟ୍ସଆପ୍ ନମ୍ବରକୁ ଟ୍ରାକ୍ କରୁଛି ଏବଂ ଏହି ମାମଲାରେ କିଛି ସନ୍ଦିଗ୍ଧଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି ।

