ଟ୍ରାକ୍ଟର ଧକ୍କାରେ ବାଇକ୍ ଆରୋହୀ ମୃତ ଓ ଜଣେ ଗୁରୁତର । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ମନ୍ଦାରୀ ପଡୁଆ ରାସ୍ତାର କୁମାରପୁର ଛକ ନିକଟରେ ଦୁର୍ଘଟଣା ଘଟିଛି। ଗୁରୁତରଙ୍କୁ ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ଆଜି ଦିନ ପ୍ରାୟ ୧୦ଟା ବେଳେ ମନ୍ଦାରୀ ବନ୍ଧ ସାହି ଗାଁର ରତ୍ନାକର ମଳିକ ଓ ମଧୁସୂଦନ ମଳିକଙ୍କ ପୁଅ ବିଶ୍ୱଜିତ ଓ ଲିପୁ ଦୁଇ ଜଣ ନିଜ ନିଜ ବାଇକ ଯୋଗେ ମାମୁ ଘର ପଡୁଆ ଗାଁକୁ ମାଛ ନେଇ ଦେବାକୁ ଯାଉଥିଲେ । କୁମାରପୂର ଛକ ନିକଟରେ ବିପରୀତ ଦିଗରୁ ଏକ ଦ୍ରୁତଗାମୀ ଟ୍ରାକ୍ଟର ସେମାନଙ୍କୁ ଧକ୍କ ଦେଇ ଘଟଣା ସ୍ଥଳରୁ ପଲାଇ ଯାଇଥିଲା । ଟ୍ରାକ୍ଟର ଧକ୍କାରେ ବିଶ୍ୱଜିତ ମଳିକର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଲିପୁ ମଳିକଙ୍କୁ ଗୁରୁତର ଅବସ୍ଥାରେ ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଖବର ପାଇଁ ବିଶ୍ୱଜିତର ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚି କ୍ଷତି ପୂରଣ ଦାବି କରି ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । ଖବର ପାଇଁ ବାସୁଦେବପୁର ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛନ୍ତି।
