ବିଜେଡିର ଦୁଇ ନେତାଙ୍କ ନିଲମ୍ବନ ଘଟଣାକୁ ନେଇ ମୁହଁ ଖୋଲିଲେ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର। କହିଲେ, ବିଜେଡିରେ ବହୁତ ଜଣଙ୍କ ମନରେ କ୍ଷୋଭ ଥିଲା। ବିଜେପି ଚାହିଁଲେ ବିଜେଡି କେବେଠାରୁ ଭଙ୍ଗି ସାରନ୍ତାଣି। ବିଜେଡି କାହିଁକି ତାର ଭାଡ଼ିକୁ ଫାଙ୍କା କରୁଛି ତାର କାରଣ ସେହି ହିଁ ଜାଣିଥିବେ। ସେମାନେ ମୁଖ୍ୟ ବିରୋଧୀ ଦଳ ଭାବେ ଛିଡ଼ା ହୁଅନ୍ତୁ।
ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି ବିଜେଡି କନ୍ଦଳ। ଜଣକ ପରେ ଜଣଙ୍କୁ ଆଉଟ୍ କରୁଛନ୍ତି ନବୀନ। ବିଶ୍ଵାସଘାତକତା ଓ ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡି ନେତାଙ୍କ ଉପରେ ବାଜୁଛି ସୁପ୍ରିମୋଙ୍କ ଛାଟ। ବିଜେଡିର ନିଲମ୍ଵନ ରାଜନୀତିକୁ ନେଇ ଏବେ ରାଜ୍ୟ ରାଜନୀତିରେ ହଟଚମଟ। ଏବେ ସବୁଠୁ ବଡ଼ ପ୍ରଶ୍ନ -ୟା’ ପରେ କାହା ପାଳି? ଏତିକିରେ ଅଟକିବେ ନବୀନ? ନା ଆଉ କିଛି ବଡ଼ ନେତାଙ୍କ ଉପରେ ପଡ଼ିବ କି କାର୍ଯ୍ୟାନୁଷ୍ଠାନ ପ୍ରହାର? ମେଳି ବାନ୍ଧୁଥିବା, ବୟାନବାଜି କରୁଥିବା ନେତାଙ୍କୁ ନବୀନ ବାହାର ରାସ୍ତା ଦେଖାଇବେ ନା ନରମ ଆଭିମୁଖ୍ୟ ଦେଖାଇବେ । ଲଗାତାର ବୟାନବାଜି କରି ଦଳର ଅଡ଼ୁଆ ବଢ଼ାଉଥିବା ସାଂସଦ ଦେବାଶିଷ ସାମନ୍ତରାୟ, ବିଧାୟକ ବଦ୍ରି ପାତ୍ରଙ୍କ ଭଳି ବରିଷ୍ଠଙ୍କ ଉପରେ ହେବ କି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ?

