ଇରାନରେ ଦେଖାଦେଇଥିବା ଭୟଙ୍କର ଗଣବିକ୍ଷୋଭ ଏବଂ ହିଂସାତ୍ମକ ପରିସ୍ଥିତିକୁ ଦୃଷ୍ଟିରେ ରଖି ତେହେରାନସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶବଳୀ (Advisory) ଜାରି କରାଯାଇଛି। ଦେଶର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନିଙ୍କ ବିରୁଦ୍ଧରେ ଜନତା ରାଜରାସ୍ତାକୁ ଓହ୍ଲାଇଥିବାବେଳେ ପରିସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଏହି ସଙ୍କଟ ସମୟରେ ସେଠାରେ ଥିବା ଭାରତୀୟ ନାଗରିକମାନଙ୍କୁ ଯଥାଶୀଘ୍ର ଇରାନ ଛାଡ଼ିବାକୁ ଦୂତାବାସ ଅନୁରୋଧ କରିଛି
ଭାରତୀୟ ଦୂତାବାସ ଇରାନରେ ରହୁଥିବା ଭାରତୀୟ ଛାତ୍ର, ତୀର୍ଥଯାତ୍ରୀ, ବ୍ୟବସାୟୀ ଏବଂ ପର୍ଯ୍ୟଟକମାନଙ୍କୁ ତୁରନ୍ତ ଦେଶ ଛାଡିବାକୁ ପରାମର୍ଶ ଦେଇଛି। ଯେହେତୁ ଇରାନ ସରକାର ଆନ୍ଦୋଳନକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି, ତେଣୁ ଭାରତୀୟଙ୍କୁ ସତର୍କତା ଅବଲମ୍ବନ କରିବା ସହ ବିକ୍ଷୋଭ ପ୍ରଦର୍ଶନ ଚାଲିଥିବା ସ୍ଥାନକୁ ନ ଯିବାକୁ କୁହାଯାଇଛି। ଏହା ସହିତ ନିଜର ପାସପୋର୍ଟ ଏବଂ ଅନ୍ୟାନ୍ୟ ଜରୁରୀ କାଗଜପତ୍ର ସୁରକ୍ଷିତ ରଖିବାକୁ ନାଗରିକମାନଙ୍କୁ ଅନୁରୋଧ କରାଯାଇଛି।
ଦୂତାବାସ ପକ୍ଷରୁ କୁହାଯାଇଛି ଯେ, ଇରାନରେ ରହୁଥିବା ଯେଉଁ ଭାରତୀୟମାନେ ଏପର୍ଯ୍ୟନ୍ତ ନିଜର ନାମ ପଞ୍ଜିକରଣ କରିନାହାଁନ୍ତି, ସେମାନେ ତୁରନ୍ତ ଦୂତାବାସ ଦ୍ୱାରା ଜାରି କରାଯାଇଥିବା ଲିଙ୍କରେ ପଞ୍ଜିକରଣ କରନ୍ତୁ। ଯଦି ସେଠାରେ ଇଣ୍ଟରନେଟ୍ ସମସ୍ୟା ଯୋଗୁଁ ଏହା ସମ୍ଭବ ହେଉନାହିଁ, ତେବେ ଭାରତରେ ଥିବା ସେମାନଙ୍କ ପରିବାର ସଦସ୍ୟ ମଧ୍ୟ ପଞ୍ଜିକରଣ କରିପାରିବେ। କୌଣସି ବି ଜରୁରୀକାଳୀନ ପରିସ୍ଥିତି ପାଇଁ ଭାରତୀୟ ଦୂତାବାସ ହେଲ୍ପଲାଇନ୍ ନମ୍ୱର ଜାରି କରି ସହାୟତା ପାଇଁ ଯୋଗାଯୋଗ କରିବାକୁ କହିଛି।

