ଭୁବନେଶ୍ୱର: ମାଘ ମାସ ନୁହେଁ, ଏଥର ଶେଷ ମାର୍ଗଶିରରେ ଶୀତ ଆସିଛି ବାଘ ପରି। ଉପକୂଳରୁ ଉପାନ୍ତ ପର୍ଯ୍ୟନ୍ତ ସବୁଠୁ ଖସିଛି ପାରଦ। ସାରା ରାଜ୍ୟକୁ କଲବଲ କରୁଛି ଅସହ୍ୟ ଥଣ୍ଡା। ଅଧିକାଂଶ ସ୍ଥାନରେ ତାପମାତ୍ରା ସ୍ୱାଭାବିକ ତୁଳନାରେ ୫ରୁ ୭ ଡିଗ୍ରୀ ପର୍ଯ୍ୟନ୍ତ କମ୍ ରହୁଛି। ଫଳରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ତାପମାତ୍ରା ୩ ଡିଗ୍ରୀକୁ ଖସିଥିବା ବେଳେ ଆସନ୍ତା ୨ ସପ୍ତାହ ପର୍ଯ୍ୟନ୍ତ ପ୍ରବଳ ଶୀତ ଜାରି ରହିବାର ସମ୍ଭାବନା ସୃଷ୍ଟି ହୋଇଛି। ରାଜ୍ୟରେ ପାରଦ ଲଗାତାର ନିମ୍ନଗାମୀ ହେବାରେ ଲାଗିଛି । ଶୀତ ଲହରିରେ ଅସ୍ତବ୍ୟସ୍ତ ହେଉଛନ୍ତି ରାଜ୍ୟବାସୀ
ରାଜ୍ୟର ଏକାଧିକ ସ୍ଥାନରେ ତାପମାତ୍ରା ସ୍ୱାଭାବିକ ତୁଳନାରେ କମ୍ ରହୁଥିବା ବେଳେ ଅନେକ ଜିଲ୍ଲାରେ ଶୀତଲହରୀ ସମ ପରିସ୍ଥିତିି ସୃଷ୍ଟି ହୋଇଛି। ଦିନରେ ତାପମାତ୍ରା ସ୍ୱାଭାବିକ ରହୁଥିବା ବେଳେ ସଞ୍ଜ ନଇଁଲେ ପାରଦ ଖସିବା ସହ ଥଣ୍ଡାର ରାଜୁତି ଆରମ୍ଭ ହୋଇଯାଉଛି। ଯେତେ ରାତି ବଢୁଛି ସେତେ ଥଣ୍ଡାର ପ୍ରକୋପ ବଢିବା ସହ ଜାଡ଼ରେ ସାରା ରାଜ୍ୟ ଏବେ ଥରୁଛି। ଅନ୍ୟପଟେ ଗୁରୁବାର ଆଇଏମ୍ଡି ପକ୍ଷରୁ କୁହାଯାଇଛି ଯେ ଆସନ୍ତା ୨ ସପ୍ତାହ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ତେଣୁ ଓଡ଼ିଶାରେ ଦୁଇ ସପ୍ତାହ ପର୍ଯ୍ୟନ୍ତ ଶୀତ ଲହରୀ ସ୍ଥିତି ଜାରି ରହିବାର ସମ୍ଭାବନା ରହିଛି।
ଗତ ବର୍ଷ ରାଜ୍ୟରେ ଗୋଟିଏ ଦିନ ବି ଶୀତ ଲହରୀ (କୋଲ୍ଡ ୱେଭ୍)ସ୍ଥିତି ସୃଷ୍ଟି ହୋଇ ନ ଥିବା ବେଳେ ଚଳିତ ବର୍ଷ ଏବେ ସୁଦ୍ଧା ୯ ଦିନ ଶତ ଲହରୀ ସ୍ଥିତି ସୃଷ୍ଟି ହୋଇସାରିଛି। ଚଳିତ ବର୍ଷ ଡିସେମ୍ବର ମାସରେ ୬ ଦିନ ‘କୋଲ୍ଡ ୱେଭ୍’ ସ୍ଥିତି ସୃଷ୍ଟି ହୋଇଥିବା ବେଳେ ନଭେମ୍ବରରେ ମଧ୍ୟରେ ୩ ଦିନ କୋଲ୍ଡ ୱେଭ୍ ହୋଇଛି। ଆଗାମୀ ୨ ସପ୍ତାହ ଶୀତ ଲହରୀ ସ୍ଥିତି ପାଇଁ ପାଗ ଅନୁକୂଳ ରହିଥିବାରୁ ଏହି ସଂଖ୍ୟାରେ ଆହୁରି ବୃଦ୍ଧି ନେଇ ଆକଳନ କରାଯାଉଛି। ପୂରା ଶୀତ ଋତୁରେ ଅର୍ଥାତ ଅଭେମ୍ବର ଶେଷରୁ ଜାନୁଆରୀ ଶେଷ ମଧ୍ୟରେ ୫-୬ ଦିନ କୋଲ୍ଡ ୱେଭ୍ ସ୍ଥିତି ସୃଷ୍ଟି ହୋଇଥାଏ। ହେଲେ ଚଳିତ ବର୍ଷ ଡିସେମ୍ବର ପ୍ରଥମ ସପ୍ତାହରୁ ଏହି ସଂଖ୍ୟା ୯ ରେ ପହଞ୍ଚି ସାରିଥିବାରୁ ସାରା ରାଜ୍ୟରେ ଲୋକେ ଶୀତରେ କଲବଲ ହେଉଛନ୍ତି।
