ଶୀତ କାକରକୁ ହରାଇଲା କ୍ରିକେଟ ନିଶା। ବାରବାଟୀ ଷ୍ଟାଡିୟମ ବାହାରେ ଅସମ୍ଭାଳ ସ୍ଥିତି। ଆସନ୍ତା 9 ତାରିଖ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍ ଟିକେଟ ପାଇଁ ଗତକାଲି ସଂଧ୍ୟାରୁ ଭିଡ଼ ଲଗାଇଛନ୍ତି ହଜାର ହଜାର ଲୋକ। ଟିକେଟ ପାଇଁ ଲାଇନରେ ଠିଆ ହେବାକୁ ଠେଲାପେଲା, ଧସ୍ତାଧସ୍ତି ସ୍ଥିତି। ସାରା ରାତି ଭିଡ଼ ନିୟନ୍ତ୍ରଣ କରିବାକୁ ନାକେଦମ୍ ହୋଇଛି ପୋଲିସ। ଆଜି ସକାଳ 9ଟାରୁ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ହେବ ଟିକେଟ୍ ବିକ୍ରି। ସାଧାରଣ ଦର୍ଶକଙ୍କ ପାଇଁ ଟିକେଟ କାଉଣ୍ଟରରେ ଟିକେଟ ବିକ୍ରି କରାଯିବ। ସାଧାରଣ ଦର୍ଶକ ପାଇଁ ପ୍ରାୟ 10 ହଜାର ଟିକେଟ ବିକ୍ରି କରାଯିବ। ଟିକେଟ ବିକ୍ରି କରିବାକୁ SBIକୁ ଦିଆଯାଇଛି ଦାୟିତ୍ବ।
କାଉଣ୍ଟର ପାଖରୁ 800 ମିଟର ପର୍ଯ୍ୟନ୍ତ ଷ୍ଟିଲ ବ୍ୟାରିକେଡର ବ୍ୟବସ୍ଥା ହୋଇଛି। କାଉଣ୍ଟରରେ ଅଫଲାଇନ୍ ଟିକେଟ୍ ୧୦ ହଜାର ବିକ୍ରି ହେବ। ଏହା ପୂର୍ବରୁ ଅଫଲାଇନରେ ଉପଲବ୍ଧ ୨ ହଜାର ଟିକେଟ୍ ୩୫ ମିନିଟ୍ ମଧ୍ୟରେ ଶେଷ ହୋଇଥିଲା। ଏବେ ଅଫଲାଇନ୍ ଟିକେଟ୍ ହିଁ କ୍ରିକେଟ୍ ପ୍ରେମୀଙ୍କ ଭରସା। ପୂର୍ବର ମ୍ୟାଚରେ ୧୧,୫୦୦ ଟିକେଟ କାଉଣ୍ଟରରେ ବିକ୍ରି ହେଉଥିଲା। କିନ୍ତୁ ଏଥର ସିଟ୍ ଚଉଡା କରାଯିବାରୁ ପାଖାପାଖି ୩ ହଜାର ସିଟ୍ ହ୍ରାସ ପାଇଛି। ବାରବାଟୀର ଦର୍ଶକ ଧାରଣ କ୍ଷମତା ପାଖାପାକି ୪୫ ହଜାରରୁ ଅଧିକ ଥିବା ବେଳେ ଏହା ୪୨ ହଜାରକୁ ହ୍ରାସ ପାଇଛି।
ମୋଟ ସିଟ୍ ସଂଖ୍ୟା ୪୨,୦୦୦ ରହିଛି।
ଗ୍ୟାଲେରୀ ନମ୍ବର ୧ ଓ ୩ର ଟିକେଟ୍ ମୂଲ୍ୟ ୧୧୦୦ ଟଙ୍କା ରହିଛି
ଗ୍ୟାଲେରୀ ନମ୍ବର ୨ ଓ ୪: ୯୦୦ ଟଙ୍କା
ଗ୍ୟାଲେରୀ ନମ୍ବର ୫ ପାଇଁ ୧୨୦୦ ଟଙ୍କା, ଗ୍ୟାଲେରୀ ନମ୍ବର ୭ର ମୂଲ୍ୟ ୭୦୦ ଟଙ୍କା
ସ୍ପେଶାଲ ଏନକ୍ଲୋଜର ୬,୦୦୦ ଟଙ୍କା
ଏସି ବକ୍ସ ୮,୦୦୦ ଟଙ୍କା
ନ୍ୟୁ ପାଭିଲିୟନ୍ ୧୦,୦୦୦ ଟଙ୍କା ଏବଂ କର୍ପୋରେଟ୍ ବକ୍ସର ଟିକେଟ୍ ମୂଲ୍ୟ ୨୦,୦୦୦ ଟଙ୍କା ରହିଛି।

