ସଂଚାର ବ୍ୟୁରୋ: ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ଦିନ ମାଆଙ୍କୁ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିବା ଘଟଣାରେ ମ୍ୟାନେଜର ଦୀନେଶ ବେହେରାଙ୍କ ନାଁରେ କଟକ ମହିଳା ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି। ରାଜ୍ୟ ମାନବାଧିକାର ପରିଷଦ ନାମକ ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ଏହି ଲିଖିତ ଅଭିଯୋଗ କରାଯାଇଛି। ଦୀନେଶ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ସଂଗଠନ ପକ୍ଷରୁ ଦାବୀ କରାଯାଇଛି।
ତେବେ ଏହା ପୂର୍ବରୁ ମଧ୍ୟ ହ୍ୟୁମାନଙ୍କ ୨ ମ୍ୟାନେଜରଙ୍କ ନାଁରେ ଥାନାରେ ଏତଲା ଦିଆଯାଇଛି । ବଲାଙ୍ଗୀର ଟାଉନ ଥାନାରେ ହ୍ୟୁମାନଙ୍କ ଦୁଇ ମ୍ୟାନେଜର ପ୍ରଶାନ୍ତ ବେହେରା ଓ ଦିନେଶ ବେହେରା ନାମରେ FIR ହୋଇଛି । କୋଶଲ ମୁକ୍ତି ମୋର୍ଚ୍ଚା ତରଫରୁ ବଲାଙ୍ଗୀର ଟାଉନ ଥାନାରେ ଏତଲା ଦିଆଯାଇଛି । ଏହା ସହ ହ୍ୟୁମାନ ସାଗରଙ୍କ ମା’ଙ୍କୁ ଦୁର୍ବ୍ୟବହାର ନେଇ ମଧ୍ୟ ମାମଲା ହୋଇଛି । ଦେହ ଖରାପ ସତ୍ତ୍ବେ ହ୍ୟୁମାନଙ୍କ ବିଭିନ୍ନ ଷ୍ଟେଜ ଶୋ’ କରାଉଥିଲେ । ଯାହା ତାଙ୍କ ମୃତ୍ୟୁର କାରଣ ବୋଲି ଏତଲାରେ ଉଲ୍ଲେଖ କରାଯାଇଛି ।
ସୂଚନା ଅନୁସାରେ, ହ୍ୟୁମାନ ସାଗରଙ୍କ ମୃତ୍ୟୁ ପାଇଁ ଏକାଧିକ ଜଣଙ୍କୁ ଦାୟୀ କରିଥିଲେ ତାଙ୍କ ମାଆ । ଏମିତିକି ହ୍ୟୁମାନ ଅସୁସ୍ଥ ଥିବାବେଳେ ତାଙ୍କୁ ନେଇ ଷ୍ଟେଜ୍ ଶୋ’ କରାଯାଉଥିଲା ବୋଲି କହିଥିଲେ। ସେହିପରି ହ୍ୟୁମାନଙ୍କ ମାଆ ଆହୁରି କହିଥିଲେ, ହ୍ୟୁମାନଙ୍କୁ ଧୋକା ଦିଆ ଯାଇଛି । ମୋ ପୁଅକୁ ମାରି ଦିଆଯାଇଛି । ୨ରୁ ୩ ମାସ ହେଲା ପୁଅ ଆସୁନଥିଲା, ସେ ମାନସିକ ଅବସାଦ (ଡିପ୍ରେସନ୍)ରେ ଥିଲା ।”

