ସଂଚାର ବ୍ୟୁରୋ: ଆସନ୍ତା ୨୭ ଓ ୨୮ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ୨୭ ତାରିଖ ଅପରାହ୍ଣ ୨ଟାରେ ସ୍ବତନ୍ତ୍ର ବିମାନରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ ରାଷ୍ଟ୍ରପତି। ସେଠାରୁ ରାଜଭବନ ଆସିବା ପରେ ୨ଟା ୨୫ରେ ସେ କଳିଙ୍ଗ ଅତିଥି ନିବାସର ଉଦଘାଟନ କରିବେ। ସେଠାରେ ଅନୁଷ୍ଠିତ ସ୍ବତନ୍ତ୍ର ଉତ୍ସବରେ ରାଜ୍ୟପାଳ, କେନ୍ଦ୍ରମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ରାଜ୍ୟର କିଛି ମନ୍ତ୍ରୀ ପ୍ରମୁଖ ସାମିଲ ହେବେ। ଅପରାହ୍ଣ ୪ଟା ୨୦ରେ ସେ ବିଧାନସଭାରେ ପହଞ୍ଚିବେ। ୧୭ତମ ବିଧାନସଭା ଅଧିବେଶନ ଅବସରରେ ଅପରାହ୍ଣ ୪ଟା ୩୦ରେ ବିଧାୟକମାନଙ୍କୁ ଉଦବୋଧନ ଦେବେ ରାଷ୍ଟ୍ରପତି। କାର୍ଯ୍ୟକ୍ରମ ଶେଷ କରିବା ପରେ ରାଜଭବନ କଳିଙ୍ଗ ଅତିଥି ନିବାସରେ ରାତ୍ରୀଯାପନ କରିବେ। ପରଦିନ ଅର୍ଥାତ ୨୮ ତାରିଖ ସକାଳ ୯ଟା ୩୫ରେ ଦିଲ୍ଲୀ ଅଭିମୁଖେ ଫେରିଯିବେ ରାଷ୍ଟ୍ରପତି।

