ସଂଚାର ବ୍ୟୁରୋ: ଆସନ୍ତା ୧୯ ବା ୨୦ରେ ବିହାରରେ ଗଠନ ହୋଇପାରେ ନୂଆ ସରକାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଚୂଡ଼ାନ୍ତ ଗସ୍ତସୂଚୀକୁ ନେଇ ନିର୍ଦ୍ଧାରିତ ହୋଇପାରେ ଶପଥ ଗ୍ରହଣ ସମାରୋହ। ରାଜ୍ୟପାଳ ରାଜେନ୍ଦ୍ର ଆର୍ଲେକରଙ୍କ ନିକଟରେ ୧୬ତମ ବିହାର ବିଧାନସଭା ନିର୍ବାଚନ ଫଳାଫଳକୁ ନିର୍ବାଚନ କମିଶନ ଦାଖଲ କରିବେ। ଆସନ୍ତା ସୋମବାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କ୍ୟାବିନେଟ ବୈଠକ ଡାକିବେ ଏବଂ ସେହି ବୈଠକରେ ବିଧାନସଭା ଭଙ୍ଗ ପ୍ରସ୍ତାବ ଗୃହିତ କରାଇବେ। ପରେ ସେ ନିଜ ଇସ୍ତଫା ପତ୍ର ରାଜ୍ୟପାଳଙ୍କ ନିକଟରେ ଦାଖଲ କରିବେ। ନୀତୀଶ କୁମାରଙ୍କ ଇସ୍ତଫା ପରେ ଏନଡିଏ ବିଧାୟକ ଦଳ ବୈଠକ ଡକାଯିବ ଏବଂ ସେହି ବୈଠକରେ ନେତା ବଛାଯିବ। ନୂଆ ନେତା ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ଲାଗି ଦାବି କରିବେ। ସେପଟେ ଶପଥ ଗ୍ରହଣ ଉତ୍ସବ ଲାଗି ପାଟନାର ଗାନ୍ଧୀ ମଇଦାନରେ ଜୋରଦାର ପ୍ରସ୍ତୁତି ଚାଲିଛି। ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦି ଓ ବିଜେପିଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯୋଗଦେବେ। ତେଣେ ଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ବିଜେପି ନେତାଙ୍କ ବୈଠକ ହୋଇଛି।

