ସଂଚାର ବ୍ୟୁରୋ: ଖସୁଛି ପାରଦ, ରାଜ୍ୟରେ ବଢୁଛି ଶୀତ । ପ୍ରଚଣ୍ଡ ଶୀତ ଆରମ୍ଭ ହୋଇଛି। ସାରା ଓଡିଶା ଶୀତରେ ଥରୁଛି। ୧୫ ଡିଗ୍ରୀ ତଳେ ରାଜ୍ୟର ବହୁ ସହର। ରାଉରକେଲା ତାପମାତ୍ରା ୧୦.୫ ଡିଗ୍ରୀ ରେକର୍ଡ। ଆଜି ସକାଳେ ଘନ କୁହୁଡ଼ିର ଧଳା ଚାଦରରେ ଘୋଡ଼େଇ ହୋଇଥିଲା କୋରାପୁଟ ଓ ସୁନ୍ଦରଗଡ଼ ସହର । ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ବି ଥିଲା କୁହୁଡ଼ିର ଆସ୍ତରଣ । ସକାଳୁ ସକାଳୁ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ କୁହୁଡି ହୋଇଥିବା ଦେଖିବାକୁ ମିଳିଛି । ଶୀତୁଆ ସକାଳରେ ଥଣ୍ଡାରୁ ବର୍ତ୍ତିବା ପାଇଁ ଗାଁ ଗହଳିରେ ଲୋକମାନେ ନିଆଁ ଲଗାଇ ବସିଥାନ୍ତି। ଯାହା ଥଣ୍ଡାରୁ ସାମାନ୍ୟ ଆଶ୍ୱସ୍ତି ମିଳିଥାଏ।
ଏପଟେ ଆଭ୍ୟନ୍ତରୀଣ ଓ ଦକ୍ଷିଣ ଉପକୂଳ ଓଡ଼ିଶାର ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରି କମିଥିବା ବେଳେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ରାତି ପାରଦ ୨ ଡିଗ୍ରି ବଢ଼ିଛି । ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସହରର ରାତି ତାପମାତ୍ରା ସ୍ଵାଭାବିକଠୁ ୭ ଡିଗ୍ରି ପର୍ଯ୍ୟନ୍ତ କମ୍ ରହିଥିବା ପାଣିପାଗ ବିଜ୍ଞାନ କେନ୍ଦ୍ର କହିଛି। ବୁଧବାର ରାତିରେ ଫୁଲବାଣୀ, ସୁନ୍ଦରଗଡ଼, ରାଉରକେଲା ଓ ଝାରସୁଗୁଡ଼ାରେ ପାରଦ ୧୦ ଡିଗ୍ରୀ ରହିଥିଲା । କେନ୍ଦୁଝର ଓ ଅନୁଗୁଳରେ ୧୨ ଡିଗ୍ରୀ, ଢେଙ୍କାନାଳ, କୋରାପୁଟ ଓ ଭଦ୍ରକରେ ରାତି ତାପମାତ୍ରା ୧୩ ଡିଗ୍ରୀ ରହିବ ବୋଲି ପାଣିପାଗ ବିଭାଗ ଆକଳନ କରାଯାଇଥିଲା ।
ଆଗକୁ ମଧ୍ୟ ପାରଦ ତଳମୁହାଁ ହେବା ସହ ଥଣ୍ଡା ଆହୁରି ବଢ଼ିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଆସନ୍ତା ୨ରୁ ୩ ଦିନରେ ରାତି ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରୀ ତଳକୁ ଖସିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । କୁହାଯାଏ ସହରର ଶୀତ ଠାରୁ ଗାଁର ଶୀତ ଭାରି ନିଆରା । ଶୀତ ମାଟିକୁ ଛୁଇଁଲେ ମତୁଆଲା ହୁଏ ମନ, । ଗାଁରେ ଶୀତ ଗୋଟେ ଶାସ୍ତି, ଗୋଟେ ସ୍ମୃତି । ଶୀତ ବି କାହାର ମିତ, କାହା ସମ୍ପର୍କର ସାକ୍ଷୀ । ଏଠି ଢୋକେ ଚା’ ପିଇଲେ ଶୀତ, ଶୀତ ପରି ଲାଗେ । ପାଟିରୁ ଭସ ଭସ ବାହାରୁଥିବା ଧୂଆଁ ସ୍ମୋକ୍ ଆର୍ଟ ଆଙ୍କେ । ଧାନ ବିଲ, ଚଷା ଭାଇ କାନ୍ଧରେ ଶୀତ ଗୀତ ଗାଏ । ମାର୍ଗଶୀରର ଝୋଟିଲିପା କାନ୍ଥରେ ଝଟକୁଥାଏ । ଆଉ ପୋଖରୀ ପାଣିର ପହିଲି ଛୁଆଁରେ କୁଆଁରୀ ଦେହର ଲାଜମିଶା ଡରରେ ଶୀତ ସବୁଠୁ ସୁନ୍ଦର, ସବୁଠୁ ରୋମାଣ୍ଟିକ୍ ଲାଗେ ଗାଁରେ । ହେଲେ ସହରରେ ଏସବୁ କିଛି ଦେଖିବାକୁ ମିଳେନାହିଁ କି ଏଭଳି କିଛି ସ୍ମୃତି ବାଣ୍ଟିହୁଏ ନାହିଁ। ଏଠି ସମସ୍ତେ ବ୍ୟସ୍ତ ନିଜ କାର୍ଯ୍ୟକୁ ନେଇ।
