ସଂଚାର ବ୍ୟୁରୋ: ଦିଲ୍ଲୀରେ ୪ ଅପରାଧୀଙ୍କୁ ପୋଲିସର ଏନକାଉଣ୍ଟର। ରୋହିଣି ଅଂଚଳରେ ମଧ୍ୟରାତ୍ରିରେ ହୋଇଥିଲା ଏନକାଉଣ୍ଟର। ବିହାର ସିଗ୍ମା ଗ୍ୟାଙ୍ଗ ନେତା ରଂଜନ ପାଠକ ସହ ତାର ୩ ସାଥୀ ପୋଲିସ ଗୁଳିରେ ନିହତ ହୋଇଛନ୍ତି। ଦିଲ୍ଲୀ କ୍ରାଇମବ୍ରାଞ୍ଚ ଏବଂ ବିହାର ପୋଲିସର ମିଳିତ ଟିମ ଗୁଳି କରି ନିପାତ କରିଛନ୍ତି। ଗତକାଲି ବିଳମ୍ବିତ ରାତିରେ ଦିଲ୍ଲୀର ରୋହିଣୀ ଅଞ୍ଚଳରେ ଘଟିଥିଲା ଏହି ଏନକାଉଣ୍ଟର। ଗ୍ୟାଙ୍ଗର ଗତିବିଧି ବିଷୟରେ ଗୁଇନ୍ଦା ସୂଚନା ପରେ ଦିଲ୍ଲୀ ପୋଲିସ କ୍ରାଇମବ୍ରାଞ୍ଚ ଏବଂ ବିହାର ପୋଲିସ ମିଳିତ ଭାବରେ ଏହି ଏନକାଉଣ୍ଟର କରିଥିଲେ। ମଧ୍ୟରାତ୍ରିରେ ପ୍ରାୟ ୨ଟା ୨୦ ମିନିଟ ସମୟରେ ଗୁଳି ବିନିମୟ ହୋଇଥିଲା। ଗୁଳିମାଡ଼ରେ ସିଗ୍ମା ଗ୍ୟାଙ୍ଗର ମୁଖିଆ ରଂଜନ ପାଠକ ସହ ତାର ଅନ୍ୟ ସାଥି ବିମଲେଶ ମହତୋ, ମନୀଷ ପାଠକ ଏବଂ ଅମନ ଠାକୁର ନିହତ ହୋଇଛନ୍ତି।
ବିହାରରେ ଅନେକ ଗୁରୁତର ଅପରାଧିକ ମାମଲାରେ ସମସ୍ତ ୪ ଅଭିଯୁକ୍ତ ମୋଷ୍ଟ ୱାଣ୍ଟେଡ୍ ଥିଲେ॥ ସିଗ୍ମା ଆଣ୍ଡ କମ୍ପାନୀ ନାମରେ ଜଣାଶୁଣା ଏହି ଗ୍ୟାଙ୍ଗର ନେତୃତ୍ୱ ରଞ୍ଜନ ପାଠକ ନେଉଥିଲେ। ବିହାରରେ ଘଟିଥିବା ଅନେକ ବଡ଼ ମାମଲାରେ ଏହି ଅପରାଧୀମାନେ ଫେରାର୍ ଥିଲେ। ରୋହିଣୀର ଡକ୍ଟର ଆମ୍ବେଦକର ଚୌକ ଏବଂ ପାନସାଲି ଚୌକ ମଧ୍ୟରେ ଥିବା ବାହାଦୁର ଶାହ ମାର୍ଗରେ ବିହାର ପୋଲିସ ଏବଂ ଦିଲ୍ଲୀ ପୋଲିସ କ୍ରାଇମବ୍ରାଞ୍ଚର ଏକ ମିଳିତ ଦଳ ସହ ଗ୍ୟାଙ୍ଗଷ୍ଟରଙ୍କ ସଂଘର୍ଷ ଘଟିଥିଲା। ଦିଲ୍ଲୀର କରୱାଲ ନଗରର ଅମନ ଠାକୁରଙ୍କୁ ଛାଡ଼ି ଦେଲେ, ଅନ୍ୟ ତିନି ଜଣ ଗ୍ୟାଙ୍ଗଷ୍ଟର ବିହାରର ସୀତାମଢ଼ିର ବାସିନ୍ଦା। ବିହାର ନିର୍ବାଚନ ପୂର୍ବରୁ ଏକ ବଡ଼ ଷଡ଼ଯନ୍ତ୍ର ଯୋଜନା କରୁଥିଲେ। ହେଲେ ଦିଲ୍ଲୀ ଏବଂ ବିହାର ପୋଲିସ ଦଳ ସେମାନଙ୍କୁ ଅଘଟଣ ଘଟାଇବା ପୂର୍ବରୁ ଏନକାଉଣ୍ଟର କରି ନିପାତ କରିଛନ୍ତି।…

