ସଂଚାର ବ୍ୟୁରୋ: ଭକ୍ତଙ୍କ ଗହଣରେ ଜଗତଜନନୀ ମା । ଚାଲିଛି ପୂଜାର୍ଚ୍ଚନା.ହୋମଯଜ୍ଞ । ଘଣ୍ଟ, ଶଙ୍ଖ ହୁଳ ହୁଳି ଧ୍ୱନିରେ ପ୍ରକମ୍ପିତ ହେଉଛି ପରିବେଶ । ସବୁଠି ଭକ୍ତ ଓ ଭଗବାନଙ୍କ ମିଳନର ଅପୂର୍ବ ଦୃଶ୍ୟ ଦେଖିବାକୁ ମଳୁଛି । ଆଜି ମଣ୍ଡପରେ ମା’ଙ୍କର ନବମୀ ପୂଜା ଚାଲିଥିବା ବେଳେ ପୀଠରେ ଚାଲିଛି ଦଶମୀ ପୂଜା । ମଣ୍ଡପଗୁଡିକରେ ପ୍ରବଳ ଭିଡ ଲାଗି ରହିଛି । ଭକ୍ତିମୟ ପରିବେଶ ସାଙ୍ଗକୁ ଚଣ୍ଡିପାଠରେ କମ୍ପୁଛି ପୁରା ପରିବେଶ । ମାଆଙ୍କ ଆରାଧନା ଓ ଆଶୀର୍ବାଦ ନେବା ପାଇଁ ଶ୍ରଦ୍ଧାଳୁଙ୍କ ଗହଳି ଲାଗିଛି । ରାଜଧାନୀ ସମେତ ପୂରା ରାଜ୍ୟରେ ପୂଜା ବଜାରର ମାହୋଲ ।
ବୁଧବାର କଟକ ପ୍ରତାପ ନଗରୀ ପୂଜା ମଣ୍ଡପରେ ପହଞ୍ଚିଯାଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସେଠାରେ ମାଆଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ । ଏହା ପରେ ଚାଉଳିଆଗଞ୍ଜ ପୂଜାମଣ୍ଡପ ବୁଲି ମାଆଙ୍କ ଦର୍ଶନ କରିଥିଲେ ମୁଖ୍ୟମନ୍ତ୍ରୀ । ବିଭିନ୍ନ ପୂଜା ମଣ୍ଡପ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି ।ମଙ୍ଗଳବାର କେନ୍ଦୁଝର ଦୁର୍ଗାପୂଜାରେ ସାମିଲ ହୋଇଥିଲେ ମୁଖ୍ୟମନ୍ତ୍ରୀ । ସେଠି ଗୁଜୁରାଟୀ ସମାଜର ଦାଣ୍ଡିଆ ଓ ଗରୱା ନାଚର ମଜା ନେଇଥିଲେ ମୁଖ୍ୟମନ୍ତ୍ରୀ । କେନ୍ଦୁଝର ଗୁଜୁରାଟୀ ସମାଜର ନବରାତ୍ର ପୂଜା ଅବସରରେ ଅନୁଷ୍ଠିତ ଆକର୍ଷକ ଦାଣ୍ଡିଆ ନାଚ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଗୁଜୁରାଟୀ ସମାଜର ସର୍ବଦା ରହି ଆସିଥିବା ସମର୍ଥନକୁ ମନେପକାଇଥିଲେ ।
କେନ୍ଦୁଝର ବୁଲାଦ୍ବାର ସାହିଠାରେ ମୁଖ୍ୟମନ୍ତ୍ରୀଙ୍କୁ ପାରମ୍ପରିକ ଢ଼ଙ୍ଗରେ ସ୍ୱାଗତ କରିଥିଲେ ଗୁଜୁରାଟୀ ସମାଜର ଲୋକେ । ଏହାପରେ, ଛୋଟ ପିଲା, ଯୁବତୀ ଓ ମହିଳାଙ୍କ ଦ୍ଵାରା ଅନୁଷ୍ଠିତ ହୋଇଥିଲା ଆକର୍ଷକ ଦାଣ୍ଡିଆ ନୃତ୍ୟ । ମୁଖ୍ୟମନ୍ତ୍ରୀଙ୍କ ସହ, ମଞ୍ଚରେ ଉପସ୍ଥିତ ତେଲକୋଇ ବିଧାୟକ ଫକୀର ମୋହନ ନାଏକ ଓ କେନ୍ଦୁଝରଗଡ଼ ପୌରାଧ୍ୟକ୍ଷା ନିକୁ ସାହୁ, ପ୍ରଦର୍ଶିତ ଦାଣ୍ଡିଆ ନୃତ୍ୟକୁ ଖୁବ୍ ଉପଭୋଗ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କୁ ଗୁଜୁରାଟୀ ସମାଜ ପକ୍ଷରୁ ଚାରାଗଛ ଓ ପ୍ରଭୁ ଗଣେଶଙ୍କର ଧାତବ ପ୍ରତିମା ପ୍ରଦାନ କରାଯାଇଥିଲା।

