ରଣଜୀ କିଙ୍ଗ୍, ଚେନ୍ନାଇ ସୁପର୍ କିଙ୍ଗ୍ସର ପୂର୍ବତନ ବ୍ୟାଟ୍ସମ୍ୟାନ୍ ମିଥୁନ ମନହାସଙ୍କୁ ମିଳିପାରେ ବଡ଼ ଦାୟିତ୍ଵ । ତିନି ଥର IPL ଖେଳିଥିବା ମିଥୁନ ହୋଇପାରନ୍ତି BCCIର ପରବର୍ତ୍ତୀ ମୁଖ୍ୟ । ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI)ର ଅଧ୍ଯକ୍ଷ ପ୍ରାର୍ଥୀ ଭାବେ ଏବେ ଶୀର୍ଷରେ ରହିଛି ମିଥୁନ ମନହାସଙ୍କ ନାଁ ।
ପୂର୍ବରୁ ଦୁଲୀପ ଟ୍ରଫି ପାଇଁ ସେ ଉତ୍ତର ଜୋନ୍ର ଆବାହକ ରହି ସାରିଛନ୍ତି । ଗୁଜରାଟ ଟାଇଟନ୍ସ ଲାଗି ସପୋର୍ଟ ଷ୍ଟାଫ୍ ଭାବେ ବି କାର୍ଯ୍ୟ କରିଛନ୍ତି । ଏବେ ମିଥୁନ ମନହାସ ଜମ୍ମୁ-କାଶ୍ମୀର କ୍ରିକେଟ୍ ଆସୋସିଏସନର ପ୍ରଶାସକ ଭାବେ ଦାୟିତ୍ଵ ନିର୍ବାହ କରୁଛନ୍ତି ।
ଏବେ BCCI ଅଧ୍ୟକ୍ଷ ରୋଜର ବିନ୍ନିଙ୍କ ପରେ ଏହି ପଦ ପାଇଁ ଦୌଡ଼ରେ ଆଗରେ ଅଛନ୍ତି ମିଥୁନ ମନହାସ । ଏହାଛଡ଼ା କୋଷାଧ୍ୟକ୍ଷ ପାଇଁ କର୍ଣ୍ଣାଟକର ଭେଟରାନ ଭଟ୍ଟ ଏବଂ ଯୁଗ୍ମ ସମ୍ପାଦକ ପଦ ପାଇଁ ଛତିଶଗଡ଼ କ୍ରିକେଟ୍ ସଂଘର ପ୍ରଭତେଜ ସିଂହ ଭାଟିଆଙ୍କ ନାଁ ଆଗରେ ରହିଛି । ଶନିବାର ଦିଲ୍ଲୀରେ ବସିଥିବା BCCI ବୈଠକରୁ ଏହି ନାଁ ସାମ୍ନାକୁ ଆସିଛି । ଆସନ୍ତା ୨୮ରେ ବାର୍ଷିକ ସାଧାରଣ ବୈଠକରେ ବିସିସିଆଇ ନୂଆ ପଦାଧିକାରୀ ନିର୍ବାଚନ ହେବ ।