ସଂଚାର ବ୍ୟୁରୋ: ଭାରତୀୟଙ୍କ ଲାଗି ପୁଣି ବଢିଲା ଅଡୁଆ। H-1B ଭିସା ନିୟମରେ ପରିବର୍ତ୍ତନ କଲା ଆମେରିକା। ପୁଣି ମହଙ୍ଗା ହେଲା H-1B ଭିସା।ଆମେରିକାରେ କାମ କରିବାକୁ ପ୍ରତି ଆବେଦନକାରୀଙ୍କ ପିଛା ଦେବାକୁ ପଡିବ ୮୮ ଲକ୍ଷ ଟଙ୍କା। ୨୧ ତାରିଖଠାରୁ ଏହି ପ୍ରାପ୍ୟ ନଦେଲେ ଆମେରିକାରେ ପ୍ରବେଶ ମନା ବୋଲି ଘୋଷଣା କରିଛନ୍ତି ରାଷ୍ଟ୍ରପତି ଟ୍ରମ୍ପ। ସେପଟେ ମାଇକ୍ରୋସଫ୍ଟ, ଜେପି ମୋର୍ଗା ଓ ଆମାଜାନ ଆଦି କମ୍ପାନୀ ସେମାନଙ୍କ କର୍ମଚାରୀଙ୍କୁ ଆମେରିକା ନଛାଡ଼ିବା ଲାଗି ପରାମର୍ଶ ଦେଇଛନ୍ତି। ଏହା ସହ ଭିସାଧାରୀ କର୍ମଚାରୀମାନେ ୨୧ ସେପ୍ଟେମ୍ବର ରାତି ୧୨ଟା ସୁଦ୍ଧା ଆମେରିକା ଫେରିଆସିବା ଲାଗି କହିଛନ୍ତି। କର୍ମଚାରୀଙ୍କ ପ୍ରତି ଆବେଦନ ଉପରେ ୧ ଲକ୍ଷ ଡଲାର ଟାରିଫ ଲାଗୁ କରିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏହାଦ୍ଵାରା ସବୁଠାରୁ ଅଧିକ ପ୍ରଭାବିତ ହେବେ ଭାରତୀୟ କର୍ମଚାରୀ। ଆମେରିକା ପ୍ରତିବର୍ଷ ଲଟେରୀ ସିଷ୍ଟମ ମାଧ୍ୟମରେ ୮୫ ହଜାର H-1B ଭିସା ପ୍ରଦାନ କରେ।
ରିପୋର୍ଟ ଅନୁଯାୟୀ କାଲିଫର୍ନିଆରେ ସର୍ବାଧିକ H-1B ଭାରତୀୟ କର୍ମଚାରୀ ଅଛନ୍ତି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନୂତନ H-1B ଭିସା ଆବେଦନ ଉପରେ ୧ ଲକ୍ଷ ଡଲାର ଶୁଳ୍କ ଲାଗୁ କରିବା ପାଇଁ ଏକ ଘୋଷଣାପତ୍ରରେ ସ୍ୱାକ୍ଷର କରିଛନ୍ତି। ଯାହାଦ୍ଵାରା ଭାରତୀୟମାନଙ୍କୁ ଏବେ ଭିସା ଆବେଦନ କରିବା ପାଇଁ ପ୍ରାୟ ୮୮ ଲକ୍ଷ ଖର୍ଚ୍ଚ କରିବାକୁ ପଡିବ। ଏହାଦ୍ଵାରା ଭାରତୀୟମାନେ ସବୁଠାରୁ ଅଧିକ ପ୍ରଭାବିତ ହେବେ। କର୍ମଚାରୀଙ୍କୁ ନିଯୁକ୍ତି କରୁଥିବା କମ୍ପାନୀଗୁଡ଼ିକୁ ଏବେ ପ୍ରତ୍ୟେକ ଭିସା ପାଇଁ ବାର୍ଷିକ ୧ ଲକ୍ଷ ଡଲାର ଦେବାକୁ ପଡିବ। ଏହି ନୀତିର ଉଦ୍ଦେଶ୍ୟ ହେଉଛି ଆମେରିକୀୟ ଯୁବକଙ୍କୁ ପ୍ରାଥମିକତା ଦେବା ବୋଲି କହିଛି ଆମେରିକା। କମ୍ପାନୀ ଯଦି ତାଲିମ ଦେବାକୁ ଯାଉଛନ୍ତି ତେବେ ଆମେରିକା ବିଶ୍ୱବିଦ୍ୟାଳୟଗୁଡ଼ିକରୁ ଡିଗ୍ରୀ ହାସଲ କରୁଥିବା ଯୁବକଙ୍କୁ ତାଲିମ ଦିଅନ୍ତୁ।
ଆମେରିକୀୟମାନଙ୍କୁ ତାଲିମ ଦିଅନ୍ତୁ ବୋଲି କହିଛନ୍ତି ଆମେରିକା ବାଣିଜ୍ୟ କାରବାର ସଚିବ ହାୱାର୍ଡ ଲ୍ୟୁଟନିକ୍। ସରକାରୀ ତଥ୍ୟ ଅନୁଯାୟୀ ଭାରତର ସର୍ବାଧିକ ୭୧ ପ୍ରତିଶତ H-1B ଭିସାଧାରୀ ଅଛନ୍ତି। ଏହା ପରେ ଚୀନର ୧୧.୭ ପ୍ରତିଶତ ରହିଛନ୍ତି। H-1B ଭିସା ସାଧାରଣତଃ ତିନିରୁ ଛଅ ବର୍ଷ ପାଇଁ ପ୍ରଦାନ କରାଯାଏ।ଆମେରିକା ପ୍ରତିବର୍ଷ ଲଟେରୀ ସିଷ୍ଟମ ମାଧ୍ୟମରେ ୮୫ ହଜାର H-1B ଭିସା ପ୍ରଦାନ କରେ। ଏହି ବର୍ଷ Amazon ସର୍ବାଧିକ ୧୦ ହଜାରରୁ ଅଧିକ କର୍ମଚାରୀଙ୍କୁ ନିଯୁକ୍ତି ଲାଗି ଅନୁମତି ପାଇଥିଲା। ଏହା ପରେ ଟାଟା କନସଲଟାନ୍ସି ସର୍ଭିସେସ୍, ମାଇକ୍ରୋସଫ୍ଟ, ଆପଲ୍ ଏବଂ ଗୁଗୁଲ୍ ସ୍ଥାନ ପାଇଛି।…