ରାସ୍ତାରେ ରିଲ୍ସ ବା ଭିଡିଓ କରୁଛନ୍ତି କି ? ତେବେ ହୋଇଯାଆନ୍ତୁ ସାବଧାନ । କାରଣ ରାଜ୍ୟ ପରିବହନ କର୍ତ୍ତୃପକ୍ଷ (ଏସ୍ଟିଏ) ଓଡ଼ିଶାର ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀ (ଆରଟିଓ)ଙ୍କୁ ରାସ୍ତା ସୁରକ୍ଷା ଉଲ୍ଲଙ୍ଘନକାରୀ, ବିଶେଷକରି ଗାଡ଼ି ଚାଳନା ବେଳେ ରିଲ୍ କିମ୍ବା ଭିଡିଓ ପ୍ରସ୍ତୁତକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶ ପରେ ଜାରି ହୋଇଛି ।
ଖୋର୍ଦ୍ଧା ଅତିରିକ୍ତ ଆରଟିଓ, ଜଗତସିଂହପୁର ଓ ଭୁବନେଶ୍ୱର । ଆରଟିଓ ଏବଂ ପୋଲିସ ସହଯୋଗରେ ଖୋର୍ଦ୍ଧାର ହଳଦିଆରେ ଏକ ସ୍କୁଲ ସାମ୍ନାରେ ରିଲ୍ ତିଆରି କରୁଥିବା ଏକ ଗାଡ଼ି ଜବତ କରିଛନ୍ତି । ଭାଇରାଲ ଭିଡିଓରେ ଡ୍ରାଇଭର ଷ୍ଟିୟରିଂ ନ ଧରି ଷ୍ଟଣ୍ଟ କରୁଥିବା ଦେଖାଯାଇଥିଲା । ଡ୍ରାଇଭରଙ୍କୁ ଜୋରିମାନା କରାଯାଇ ତାଙ୍କ ଲାଇସେନ୍ସ ସସ୍ପେଣ୍ଡ ଓ ଗାଡ଼ିର ରେଜିଷ୍ଟ୍ରେସନ ବାତିଲ ପାଇଁ ପଦକ୍ଷେପ ନିଆଯାଇଛି ।
କିଛି ଦିନ ତଳେ ଭୁବନେଶ୍ୱରରେ ଏକ ବାଇକରେ ଯୁବକ-ଯୁବତୀଙ୍କ ବିପଦପୂର୍ଣ୍ଣ ଗାଡ଼ି ଚାଳନାର ଭିଡିଓ ଭାଇରାଲ ହୋଇଥିଲା । ଭୁବନେଶ୍ୱର-୨ ଆରଟିଓ ଗାଡ଼ି ଅଟକ ରଖିଥିବା ବେଳେ ଜରିମାନା, ଲାଇସେନ୍ସ ନିଲମ୍ବନ ଭଳି ପଦକ୍ଷେପ ଗ୍ରହଣ କରିଛନ୍ତି । ଅନ୍ୟପଟେ, ପୁରୀରେ ମଧ୍ୟ ଏଭଳି ବିପଦପୂର୍ଣ୍ଣ ଗାଡ଼ି ଚାଳନା ଘଟଣାରେ ଆରଟିଓଙ୍କ ପକ୍ଷରୁ ମୋଟର ଯାନ ଆଇନ ଅନୁଯାୟୀ ପଦକ୍ଷେପ ଗ୍ରହଣ କରି ଗାଡ଼ିକୁ ଅଟକ ରଖି ଜରିମାନା କରାଯାଇଛି । ନିୟମ ଉଲ୍ଲଙ୍ଘନର ଏଭଳି ଦୃଶ୍ୟ ଉପରେ ନିୟନ୍ତ୍ରଣ ପାଇଁ ସଡ଼କରେ ଏନଫୋର୍ସମେଣ୍ଟ ସହ ସୋସିଆଲ ମିଡିଆ ଉପରେ ମଧ୍ୟ ଏଭଳି ଘଟଣା ଉପରେ ଦୃଷ୍ଟି ରଖିବାକୁ ବାଣିଜ୍ୟ ଓ ପରିବହନ ବିଭାଗ ନିଷ୍ପତ୍ତି ନେଇଛି । ଉଭୟ ମୋଟର ଯାନ ଆଇନ ଓ ଭାରତୀୟ ନ୍ୟାୟ ସଂହିତାରେ ଏଭଳି କାର୍ଯ୍ୟ ବିରୋଧରେ କାର୍ଯ୍ୟନୁଷ୍ଠାନ ପାଇଁ ପ୍ରାବଧାନ ରହିଛି । ତେଣୁ ଏଭଳି ବିପଦପୂର୍ଣ୍ଣ ଗାଡ଼ି ଚାଳନାରୁ ଦୂରେଇ ରହିବାକୁ ସମସ୍ତଙ୍କୁ ଅନୁରୋଧ କରାଯାଉଛି ।