ସଂଚାର ବ୍ୟୁରୋ: ଆଜିଠୁ ଆରମ୍ଭ ହେବାକୁ ଯାଉଛି ଏସିଆ କପ୍ ୨୦୨୫ । ସେପ୍ଟେମ୍ବର ୯ରୁ ଆରମ୍ଭ ହୋଇ ୨୮ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବ । ଏହି ଟୁର୍ଣ୍ଣାମେଣ୍ଟ ଟି-୨୦ ଫର୍ମାଟରେ ଖେଳାଯିବ । ସମସ୍ତ ମ୍ୟାଚ୍ ଆବୁଧାବି ଓ ଦୁବାଇରେ ଖେଳାଯିବ । ଦୁବାଇରେ ଆଜି ଓପନିଂ ମ୍ୟାଚ ଅନୁଷ୍ଠିତ ହେବ । ଭାରତୀୟ ସମୟ ରାତି ୮ଟାରେ ଖେଳାଯିବ ।
ଭାରତ ସେପ୍ଟେମ୍ବର ୧୦ ତାରିଖରେ ଏସିଆ କପରେ ତା’ର ଅଭିଯାନ ଆରମ୍ଭ କରିବ । ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ବରେ ୟୁଏଇ ବିପକ୍ଷରେ ମୈଦାନକୁ ଓହ୍ଲାଇବ ଭାରତ । ଏହି ଟୁର୍ଣ୍ଣାମେଣ୍ଟରେ ଖେଳିବାକୁ ଥିବା ୮ ଦଳ ଅଭ୍ୟାସ ଜୋରଦାର କରିଛନ୍ତି । ଭାରତ ସର୍ବାଧିକ ୮ ଥର ଚମ୍ପିଆନ ହୋଇଥିବା ବେଳେ ଚଳିତ ଥର କେମିତି ପ୍ରଦର୍ଶନ କରିବ ତା ଉପରେ ସମସ୍ତଙ୍କ ନଜର ରହିଛି ।
ବିସିସିଆଇ ପ୍ରଥମେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାର ଥିଲା । କିନ୍ତୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ତିକ୍ତତା ପାଇଁ ପରସ୍ପର ମାଟିରେ କ୍ରିକେଟ୍ ଖେଳିବାକୁ ମନା କରିଥିଲେ । ଯାହାଫଳରେ ଏସିଆ କପ୍ ଭେନ୍ୟୁ ପରିବର୍ତ୍ତନ କରିବାକୁ ପଡ଼ିଲା । ଏହି କାରଣରୁ, ଟୁର୍ଣ୍ଣାମେଣ୍ଟ ବର୍ତ୍ତମାନ ୟୁଏଇରେ ଅନୁଷ୍ଠିତ ହେବ ।
ଟୁର୍ଣ୍ଣାମେଣ୍ଟର ଇତିହାସ କ’ଣ କହେ?
ପ୍ରଥମ ଏସିଆ କପ୍ ୧୯୮୪ ରେ ଭାରତ, ପାକିସ୍ତାନ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିଲା। ଏହି ଟୁର୍ଣ୍ଣାମେଣ୍ଟ ୨୦୦୮ ମସିହାରୁ ନିୟମିତ ଭାବରେ ଅନୁଷ୍ଠିତ ହୋଇଆସୁଛି । ୨୦୨୩ରେ ଭାରତ ଶ୍ରୀଲଙ୍କାକୁ ହରାଇ ଅଷ୍ଟମ ଥର ପାଇଁ ଟାଇଟଲ୍ ଜିତିଥିଲା । ଏଥର ଟୁର୍ଣ୍ଣାମେଣ୍ଟ ଟି-୨୦ ଫର୍ମାଟରେ ହେବ, ଯାହା ଇତିହାସରେ କେବଳ ତୃତୀୟ ଥର ପାଇଁ ହେଉଛି।
ପ୍ରଥମ ଥର ପାଇଁ ଆଠଟି ଦଳ ଏସିଆ କପରେ ଅଂଶଗ୍ରହଣ କରିବାକୁ ଯାଉଛନ୍ତି । ଭାରତ, ପାକିସ୍ତାନ, ଶ୍ରୀଲଙ୍କା, ବାଂଲାଦେଶ ଏବଂ ଆଫଗାନିସ୍ତାନ ଏହି ଟୁର୍ଣ୍ଣାମେଣ୍ଟରେ ସିଧାସଳଖ ପ୍ରବେଶ କରିଛନ୍ତି। ଯେତେବେଳେ ଓମାନ, ସଂଯୁକ୍ତ ଆରବ ଏମିରେଟ୍ସ ଏବଂ ହଂକଂ ଏସିସି ପୁରୁଷ ପ୍ରିମିୟର କପ୍ ମାଧ୍ୟମରେ ପ୍ରବେଶ କରିଛନ୍ତି । ଯାହା ଏସିଆରେ ଆସୋସିଏଟ୍ ଦେଶମାନଙ୍କ ମଧ୍ୟରେ ଖେଳାଯାଉଥିବା ଏକ ଟୁର୍ଣ୍ଣାମେଣ୍ଟ ।