ସଂଚାର ବ୍ୟୁରୋ: ଆଖି ବୁଜିଲେ ବଳଙ୍ଗା ପୀଡ଼ିତା । ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ହାରିଗଲେ ବଳଙ୍ଗାର ପୀଡ଼ିତା । ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ସଂଧ୍ୟାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଛାତ୍ରୀଙ୍କ ମୃତ୍ୟୁରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକ ବ୍ୟକ୍ତ କରିଛନ୍ତି। ସେ ଲେଖିଛନ୍ତି ଯେ, ପୁରୀ ଜିଲ୍ଲା ବଳଙ୍ଗା ଅଞ୍ଚଳରେ ଘଟିଥିବା ଅଭାବନୀୟ ଘଟଣାରେ ଚିକିତ୍ସାଧିୀନ ଥିବା ନାବାଳିକାଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ। ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି। ଏହି କଠିନ ସମୟରେ ମହାପ୍ରଭୁ ପରିବାର ବର୍ଗଙ୍କୁ ଅପାର ଧୈର୍ଯ୍ୟ ଓ ସାହସ ପ୍ରଦାନ କରନ୍ତୁ।
ଉଲ୍ଲେଖଯୋଗ୍ୟ ଯେ ପୁରୀ ଜିଲ୍ଲା ବଳଙ୍ଗା ଥାନା ଅଞ୍ଚଳରେ ଗତ ଜୁଲାଇ ୧୯ରେ ଅଭାବନୀୟ ଘଟଣା ଘଟିଥିଲା । ଜଣେ ନାବାଳିକାଙ୍କୁ ତିନି ଜଣ ଦୁର୍ବୃତ୍ତ ବାଇକ୍ ଉଠାଇ ଏକ ନିଛାଟିଆ ସ୍ଥାନକୁ ନେଇଥିଲେ । ପ୍ରଥମେ ନିଶା ଦେଇ ବେହୋସ କରିବା ପରେ କିରୋସିନ ଢାଳି ନାବାଳିକା ଦେହରେ ନିଆଁ ଲଗାଇ ଦେଇଥିଲେ । ଏହାପରେ ପୀଡ଼ିତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଥିଲା । ଗତ ଜୁଲାଇ ୨୦ରେ ପୀଡ଼ିତାଙ୍କ ଶରୀରର ୭୫ ପ୍ରତିଶତ ଅଂଶ ପୋଡ଼ିଯାଇଥିବା କାରଣରୁ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା । ଦିଲ୍ଲୀ ଏମ୍ସରେ ବିଶେଷଜ୍ଞ ଡାକ୍ତରଙ୍କ ଏକ ଟିମ୍ ପୀଡ଼ିତାଙ୍କ ଚିକିତ୍ସା କରୁଥିଲେ । ଚିକିତ୍ସାଧୀନ ଅବସ୍ଥାରେ ହିଁ ଆଜି ପୀଡିତାଙ୍କର ମୃତ୍ୟୁ ଘଟିଛି।