ଆଜି ଶ୍ରାବଣ ମାସର ତୃତୀୟ ସୋମବାର । ଦେବ ଦେବ ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି । ଦୂର ଦୂରାନ୍ତରୁ ପାଣି ଆଣି କାଉଡିଆଙ୍କ ଲମ୍ୱାଧାଡି ବିଭିନ୍ନ ଶୈବ ପୀଠକୁ ଲମ୍ୱିଛି । ଅନେକ ଶ୍ରଦ୍ଧାଳୁ ମାଇଲ ମାଇଲ ବାଟ ଚାଲି ପାଣି ଭାର ଉଠାଇ ଶିବଙ୍କୁ ଜଳ ଲାଗି କରିବାକୁ ବାହାରିଛନ୍ତି ।
ଶ୍ରାବଣ ମାସରେ ଦେବ ଦେବ ମହାଦେବଙ୍କୁ ଜଳ ଲାଗି ଗଲେ ମାନସିକ ପୂରଣ ହୁଏ ବୋଲି ବିଶ୍ୱାସ ରହିଛି । ସେଥିପାଇଁ ମାସକ ପୂର୍ବରୁ ଜଳ ଲାଗି କରିବାକୁ ଯାଉଥିବା କାଉଡିଆ ରୀତି ନୀତି ପାଳନ କରିଥାନ୍ତି । ଶ୍ରାବଣ ମାସ ସାରା ପ୍ରତିଟି ସୋମବାର ବିଭିନ୍ନ ନଦୀରୁ ଜଳ ସଂଗ୍ରହ କରି ଖାଲିପାଦରେ ବାହୁଙ୍ଗା ବୋହି ପାଦରେ ଚାଲି ଚାଲି ନିଷ୍ଠାର ସହ ଶୈବପୀଠକୁ ଆଣି ଭୋଲେବାବାଙ୍କୁ ଜଳ ଲାଗି କରିଥାନ୍ତି । ବିଭିନ୍ନ ନଦୀ ଘାଟ ଓ ତୀର୍ଥସ୍ଥଳୀ ଗୁଡିକରେ କଡା ସୁରକ୍ଷାର ବନ୍ଦୋବସ୍ତ କରାଯାଇଛି । ଅନ୍ୟପଟେ ଶୃଙ୍ଖଳିତ ଦର୍ଶନ ପାଇଁ ମଧ୍ୟ ଶୈବପୀଠ ଗୁଡିକରେ ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି ।