ସଂଚାର ବ୍ୟୁରୋ : ପୁରୀ ଶରଧାବାଲିରେ ଠେଲାପେଲା ଦଳାଚକଟା । ତିନି ଭକ୍ତଙ୍କ ଜୀବନ ଯାଇଛି । ସେମାନଙ୍କ ଭିତରୁ ଦୁଇ ଜଣ ପୁରୁଷ ଥିବା ବେଳେ ଜଣେ ମହିଳାଙ୍କ ମୃତ୍ୟ ହୋଇଛି । ମୃତକମାନେ ହେଲେ ଖୋର୍ଦ୍ଧା ଗୋବର୍ଦ୍ଧନପୁର ଅଞ୍ଚଳର ବାସନ୍ତୀ ସାହୁ , ନୟାପଲ୍ଲୀ ଅଞ୍ଚଳର ପ୍ରେମକାନ୍ତ ମହାନ୍ତି ଏବଂ ବାଲିପାଟଣା ଅଠାନ୍ତର ଅଞ୍ଚଳର ପ୍ରଭାତୀ ଦାସ।
ସୂଚନା ଅନୁସାରେ ଶରଧାବାଲିରେ ୩ ରଥ ଲାଗିବା ପରେ ଠାକୁରଙ୍କୁ ଦର୍ଶନ କରିବା ଲାଗି ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଥିଲେ । ରାତି ସମୟରେ ଭିଡ଼ ବଢ଼ି ଚାଲିଥିଲା । ତେବେ ରାତି ପ୍ରାୟ ୧୨ଟା ୧୫ ବେଳକୁ ଠାକୁରଙ୍କ ପହୁଡ଼ ପଡ଼ିଯାଇଥିଲା, ଯାହା ପୂର୍ବ ବର୍ଷଗୁଡ଼ିକ ତୁଳନାରେ ଶୀଘ୍ର ହୋଇଥିଲା । ତେବେ ଆଜି ଭୋର ୪ ସମୟରେଦର୍ଶନ ପାଇଁ ଆସିଥିବା ହଜାର ହଜାର ଶ୍ରଦ୍ଧାଳୁଙ୍କ ଜନସମାଗମ ଯୋଗୁଁ ଦଳାଚକଟା ହୋଇଛି । ରଥ ସମ୍ମୁଖରେ ଅଘଟଣ ଘଟିଥିବା ସୂଚନା ମିଳିଛି । ଯେଉଁ ସ୍ଥାନରେ ଦଳାଚକଟା ହୋଇଛି ସେଠାରେ ପ୍ରଶାସନ ତରଫରୁ ପୂର୍ବରୁ କୌଣସି ସୁରକ୍ଷା କିମ୍ବା ପୋଲିସ ବାହନୀ ସେଠାରେ ଉପସ୍ଥିତ ନଥିଲେ । ଯେଉଁ କାରଣରୁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇ ଠେଲାପେଲା-ଦଳାଚକଟା ହୋଇଥିଲା ।
ସେହିପରି ରଥଯାତ୍ରା ଦିନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ‘ନନ୍ଦିଘୋଷ’ରଥ ନଗଡ଼ିବାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ତୀବ୍ର ଆକ୍ରୋଶ ଦେଖିବାକୁ ମିଳିଥିଲା । ଯଦିଓ ମହାପ୍ରଭୁଙ୍କ ପହଣ୍ଡିଠୁ ଆରମ୍ଭ କରି ସମସ୍ତ ପ୍ରକାରର ନୀତିକାନ୍ତି ସୁରୁଖୁରରେ ସମ୍ପନ୍ନ ହୋଇଥିଲେ ମଧ୍ୟ ଭିଡ଼ ନିୟନ୍ତ୍ରଣରେପୋଲିସ କାହିଁକି ବିଫଳ ହେଲା ତାକୁ ନେଇ ପ୍ରଶ୍ନ ଉଠିଛି । ଏହା ପର ଦିନ ମନ୍ଦିର ପ୍ରଶାସନ ପକ୍ଷରୁ ଦ୍ୱିତୀୟ ଦିନରେ ରଥଟଣା କାର୍ଯ୍ୟ ପ୍ରାୟ ସକାଳ ୯ଟା ୫୦ମିନିଟରେ ଆରମ୍ଭ ହୋଇଥିଲା । ମହାପ୍ରଭୁଙ୍କ ନନ୍ଦିଘୋଷଙ୍କ ରଥ ଦିନ ପ୍ରାୟ ୧ଟା ୧୦ମିନିଟରେ ଶରଧାବାଲିରେ ପହଂଚିଥିଲା । ଏହାପୂର୍ବରୁ ମହାପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଗୁଣ୍ଡିଚା ମନ୍ଦିର ସମ୍ମୁଖସ୍ଥ ଶରଧାବାଲିରେ ପହଂଚିଥିଲା ।