ଗୁଜୁରାଟର ଅହମ୍ମଦାବାଦରେ ଘଟିଛି ବଡ଼ ବିମାନ ଦୁର୍ଘଟଣା । ଯାତ୍ରୀମାନଙ୍କୁ ନେଇ ଯାଉଥିବା ଏକ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଟେକ୍ ଅଫ୍ ସମୟରେ ବିମାନ କ୍ରାସ୍ ହୋଇଥିବା କୁହାଯାଉଛି । ଦୁର୍ଘଟଣା ଘଟିବା ପରେ ସାରା ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା । ତେବେ ଏହି ବିମାନରେ ୨୪୨ ଜଣ ଯାତ୍ରୀ ଥିବା ସୂଚନା ରହିଛି । ଆଜି ଅପରାହ୍ନ ସମୟରେ ବିମାନ ଦୁର୍ଘଟଣା ଘଟିଥିଲା, ଯାହାର ଭୟଙ୍କର ଚିତ୍ର ଏବେ ସାମ୍ନାକୁ ଆସୁଛି । ଅହମ୍ମଦାବାଦର ମେଘାନୀନଗର ଅଞ୍ଚଳରେ ପ୍ଲେନ୍ କ୍ରାସ୍ କରିବା ପରେ ପରିବେଶ କଳା ଧୂଆଁରେ ଭର୍ତ୍ତି ହୋଇଯାଇଥିଲା । ତେବେ ଏହି ଦୁର୍ଘଟଣାରେ କେତେ କ୍ଷୟକ୍ଷତି ହୋଇଛି ତାହା ସ୍ପଷ୍ଟ ହୋଇନି । ଏହି ବିମାନ ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ନେଇ ସୂଚନା ମିଳିଛି ।
ମିଳିଥିବା ସୂଚନା ଅନୁଯାୟୀ ଏହି ଭୟଙ୍କର ଦୁର୍ଘଟଣା ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ବିମାନବନ୍ଦର ପାଖରେ ଘଟିଛି । କିନ୍ତୁ ପ୍ଲେନ୍ ବିମାନବନ୍ଦର ସୀମା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଅନୁମାନ କରାଯାଉଛି । ଏପର୍ଯ୍ୟନ୍ତ କୌଣସି ଜୀବନହାନିର ଖବର ମିଳିନାହିଁ । ଘଟଣାସ୍ଥଳରେ ଉଦ୍ଧାରକାର ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ।