ସଂଚାର ବ୍ୟୁରୋ: ଭାରତର ଜଳ ପ୍ରହାରରେ ତଳିତଳାନ୍ତ ପାକିସ୍ତାନ। ସିନ୍ଧୁ ଜଳଚୁକ୍ତି ବାତିଲ ପରେ ପାକିସ୍ତାନର ବହୁ ଡ୍ଯାମର ଜଳ ପରିମାଣ ବ୍ୟାପକ ହ୍ରାସ ପାଇବା ସହ ତଳିଆ ଅଞ୍ଚଳରେ ଜଳ ପ୍ରବାହ ହ୍ରାସ ପାଇଛି। ଚଳିତ ସପ୍ତାହରେ ପାକିସ୍ତାନର ବିଭିନ୍ନ ନଦୀବନ୍ଧରୁ ଜଳ ରିଲିଜ ପରିମାଣ ୧୫ ପ୍ରତିଶତ ହ୍ରାସ ପାଇଛି। ଗତବର୍ଷ ତୁଳନାରେ ଏହି ପ୍ରବାହ ୧୫ ପ୍ରତିଶତ ହ୍ରାସ ପାଇଛି। ଗତ ଜୁନ ୫ରେ ପାକିସ୍ତାନର ପଞ୍ଜାବ ପ୍ରଜାତନ୍ତ୍ରର ବିଭିନ୍ନ ବନ୍ଧରୁ ରିଲିଜ ହୋଇଥିବା ଜଳ ପରିମାଣ ୧.୨୪ ଲକ୍ଷ କ୍ୟୁସେକ ହୋଇଥିବାବେଳେ ଗତବର୍ଷ ଏହି ପରିମାଣ ଥିଲା ୧.୪୪ ଲକ୍ଷ କ୍ୟୁସେକ। ପାକିସ୍ତାନର ଖାଇବର ପଖତୁନଖ୍ବାସ୍ଥିତ ତାରବେଲା ଡ୍ୟାମରେ ଜଳସ୍ତର ଖସିଛି ୧୪୬୫ ମିଟରକୁ।
ସେଠାରେ ଡେଡଲେବଲ ହେଉଛି ୧୪୦୨ ମିଟର। ପଞ୍ଜାବର ଚାସମା ଡ୍ୟାମରେ ବର୍ତ୍ତମାନ ଜଳସ୍ତର ରହିଛି ୬୪୪ ମିଟର। ସେଠାରେ ଡେଡଲେବଲ ହେଉଛି ୬୩୮ ମିଟର। ମୀରପୁରରେ ଝେଲମ ଉପରେ ନିର୍ମିତ ମଙ୍ଗଳା ଡ୍ୟାମରେ ଜଳସ୍ତର ରହିଛି ୧୧୬୩ ମିଟର। ସେଠାରେ ଡେଡ ଲେବଲ ରହିଛି ୧ହଜାର ୫୦ ମିଟର। ଜଳସ୍ତର ହ୍ରାସ ପାଇବା ପରେ ଖୁବ୍ ଶୀଘ୍ର ପାକିସ୍ତାନର ଅବସ୍ଥା ଶୋଚନୀୟ ହେବ ବୋଲି ସୂଚନା ମିଳିଛି।
ସେପଟେ ଦକ୍ଷିଣ ଏସିଆରେ ଭାରତର ଆଧିପତ୍ୟକୁ ଅଗ୍ରାହ୍ୟ କରିଛନ୍ତି ପାକ୍ ଆର୍ମିଚିଫ ଅସୀମ ମୁନୀର। ଏହା ସହ ସିନ୍ଧୁ ଜଳ ଚୁକ୍ତି ରଦ୍ଦକୁ କଡ଼ାଭାଷାରେ ସେ ନିନ୍ଦା କରିବା ସହ ଏହା ଅଗ୍ରହଣୀୟ ବୋଲି କହିଛନ୍ତି। ତେଣେ ପାକିସ୍ତାନର ମୁକାବିଲା କରିବା ଲାଗି ଦୂରଗାମୀ ଅସ୍ତ୍ରଶସ୍ତ୍ର, ଗୋଳାବାରୁଦ, କାମିକାଜେ ଡ୍ରୋନର ଆଧୁନିକୀକରଣ ଲାଗି ଅନୁମତି ଦେଇଛନ୍ତି କେନ୍ଦ୍ର ସରକାର। ଏହି ପ୍ରକ୍ରିୟାରେ ଆଗକୁ ଯିବା ଲାଗି ତିନି ବାହିନୀକୁ ଅନୁମତି ଦେଇଛି ପ୍ରତିରକ୍ଷା ମନ୍ତ୍ରାଳୟ। ତେଣେ ଜାତିସଂଘ ନିରାପତ୍ତା ପରିଷଦର କଟକଣା କମିଟି, ଆଣବିକ ଅସ୍ତ୍ରଶସ୍ତ୍ର ନିରୋଧ ସଂକ୍ରାନ୍ତ କଟକଣା କମିଟି, ତାଲିବାନ କମିଟି ଓ ଅନ୍ଯାନ୍ୟ କମିଟିର ସଦସ୍ୟ ହେବା ଲାଗି ପାକିସ୍ତାନ ଯେଉଁ ଅନୁରୋଧ କରିଥିଲା ତାହା ଅଗ୍ରାହ୍ୟ ହୋଇଛି।