ସଂଚାର ବ୍ୟୁରୋ: ମଣିପୁରର ଉତ୍ତେଜନାମୂଳକ ସ୍ଥିତି ଭିତରେ ରାଜଭବନରେ ପହଞ୍ଚିଲେ ୨୫ ବିଧାୟକ ଓ ଜଣେ ସାଂସଦ। ରାଜ୍ୟପାଳଙ୍କ ସହିତ ମଣିପୁର ସ୍ଥିତି ନେଇ ସେମାନେ ଆଲୋଚନା କରିବାକୁ ଆସିଥିବା ଜଣାପଡ଼ିଛି। କିଛି ଦିନ ହେଲା ମଣିପୁର ପୁଣି ଅଶାନ୍ତ ହୋଇ ପଡ଼ିଛି। ଆରାମ୍ବାଇ ତେଙ୍ଗୋଲ ସଂଗଠନର ନେତା କନନ ସିଂହଙ୍କ ଗିରଫଦାରୀ ପ୍ରତିବାଦରେ ଆନ୍ଦୋଳନକାରୀମାନେ ମୁଣ୍ଡରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେବାକୁ ଧମକ ଦେଇଛନ୍ତି। ଫଳରେ ରାଜଧାନୀ ଇମ୍ଫାଲର ସ୍ଥିତି ହୋଇଛି ବେହାଲ। ରାଜ୍ଯର ବିଭିନ୍ନ ସ୍ଥାନରେ ବ୍ୟାପକ ପୋଡ଼ାଜଳା ହୋଇଛି।
ଆନ୍ଦୋଳନକାରୀମାନେ ଟାୟାର ଜାଳିବା ସହ ରାସ୍ତା ଅବରୋଧ କରିଛନ୍ତି। ସେମାନେ କଳା ସାର୍ଟି ପିନ୍ଧି ଗିରଫଦାରୀର ତୀବ୍ର ପ୍ରତିବାଦ କରିଛନ୍ତି। କନନ ସିଂହ ହେଉଛନ୍ତି ଅତିରିକ୍ତ ପୋଲିସ ଅଧୀକ୍ଷକ ମୋଇରାଙ୍ଗଥେମ ଅମିତଙ୍କ ବାସଭବନ ଉପରେ ଆକ୍ରମଣ ଘଟଣାର ମୁଖ୍ଯ ଅଭିଯୁକ୍ତ। ଏହା ସହ ଗତବର୍ଷ ଫେବ୍ରୁଆରୀରେ ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ ଅପହରଣ ଘଟଣାରେ ବି ସେ ଥିଲେ ମୁଖ୍ୟ ଅଭିଯୁକ୍ତ। ସେପଟେ ମଣିପୁରର ୫ ଟି ଉପତ୍ୟକା ଅନ୍ତର୍ଗତ ଜିଲ୍ଲାରେ ଇଣ୍ଟରନେଟ ଓ ମୋବାଇଲ ଡାଟା ସେବା ବାତିଲ । ଆରାମ୍ବାଇ ତେଙ୍ଗୋଲ ନେତା କନନ ସିଂହଙ୍କୁ ଗିରଫ କରାଯିବା ପରେ ସମ୍ଭାବ୍ୟ ହିଂସା ରୋକିବା ଲାଗି ଏହି ପଦକ୍ଷେପ ନିଆଯାଇଛି । ଇଣ୍ଟରନେଟ କଟକଣାରେ ପ୍ରଭାବିତ ହୋଇଛନ୍ତି ଇମ୍ଫାଲ ପଶ୍ଚିମ, ଇମ୍ଫାଲ ପୂର୍ବ, ଥୋବାଲ, ବିଷ୍ଣ୍ଣୁପୁର ଓ କାକଚିଙ୍ଗ ଜିଲ୍ଲା ।
ସୋସିଆମ ମିଡିଆର ଦୁରୂପଯୋଗ ତଥା ଭିଡିଓ ଓ ଫଟୋର ପ୍ରଚାର ପ୍ରସାର ବନ୍ଦ କରିବା ଲାଗି ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ବୋଲି କହିଛନ୍ତି ଗୃହ ବିଭାଗ କମିଶନର ତଥା ସଚିବ ଏନ. ଅଶୋକ କୁମାର । ଏହି ପାଞ୍ଚ ଜିଲ୍ଲାରେ ମେତେଇ ସମ୍ପ୍ରଦାୟ ଅଧିକ ସକ୍ରିୟ ଥିବାରୁ ପ୍ରଶାସନ ପକ୍ଷରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି । ଯେଉଁମାନେ କଟକଣା ମାନିବେ ନାହିଁ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ଯାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି । କୌଣସି ନାଗରିକ ଆନ୍ଦୋଳନକୁ ନ ଓହ୍ଲାଇବା ଲାଗି ପୋଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି । ସାରା ବିଷ୍ଣୁପୁର ଜିଲ୍ଲାରେ କର୍ଫ୍ୟୁ ଜାରି କରାଯାଇଛି ।