ଭୁବନେଶ୍ବରସ୍ଥିତ ରେଳ ଅଡ଼ିଟୋରିୟମଠାରେ ଶୁକ୍ରବାର ମେଗା ନିଯୁକ୍ତି ମେଳା ହେବ। ୭ ଟି ବିଭାଗର ୧୨୯୪ ଜଣଙ୍କୁ ମୁଖ୍ୟମନ୍ତ୍ରୀ ନିଯୁକ୍ତିପତ୍ର ବାଣ୍ଟିବେ। ଯୁବଶକ୍ତିଙ୍କୁ ନିଯୁକ୍ତି ଦେବା ଓ ସେମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ବର୍ତ୍ତମାନ ରାଜ୍ୟ ସରକାରଙ୍କ ପ୍ରମୁଖ ଆଭିମୁଖ୍ୟ। ସେହି କ୍ରମରେ ଏକକାଳୀନ ୧୨ ଶହ ୯୪ ଜଣ ଯୁବକଯୁବତୀଙ୍କୁ ସରକାରୀ ଚାକିରିର ନିଯୁକ୍ତି ପତ୍ର ପ୍ରଦାନ କରାଯିବ। ଏହା ଆଧୁନିକ ଓଡ଼ିଶା ଇତିହାସର ଏକ ସ୍ମରଣୀୟ ଦିନ ହୋଇ ରହିବ। ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ୭ଟି ପ୍ରମୁଖ ବିଭାଗକୁ ନେଇ ନିଯୁକ୍ତି ମେଳାର ଆୟୋଜନ କରାଯାଇଛି। ଯାହା ଆମ ରାଜ୍ୟର ପ୍ରଗତିରେ ଏକ ମାଇଲଖୁଣ୍ଟ ହେବ।
ଓଡ଼ିଶା ସରକାରଙ୍କ ପ୍ରମୁଖ ୭ ବିଭାଗ ଯଥା- ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ, ବାଣିଜ୍ୟ ଓ ପରିବହନ ବିଭାଗ, ପଞ୍ଜାୟତିରାଜ ଓ ପାନୀୟ ଜଳ ବିଭାଗ, ଅବକାରୀ ବିଭାଗ ଏବଂ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ସର୍ବମୋଟ୍ ୧୨ ଶହ ୯୪ ଜଣଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯିବ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ବେସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନିମନ୍ତେ ଆଜି ମୋଟ୍ ୮୨୬ ଜଣ ସ୍ନାତକୋତ୍ତର ଶିକ୍ଷକ ବା ପିଜିଟି ନିଯୁକ୍ତି ପତ୍ର ଗ୍ରହଣ କରିବେ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧିନରେ
ମୋଟ୍ ୨୨୪ ଜଣଙ୍କୁ ନିଯୁକ୍ତି ଦିଆଯିବ, ଯେଉଁଥିରେ ୧୨ ଜଣ ସହକାରୀ ପ୍ରଧ୍ୟାପକ, ୪୬ ଡ୍ରଗ ଇନ୍ସପେକ୍ଟର, ୫ ଜଣ ଆୟୁର୍ବେଦିକ ସ୍ୱାସ୍ଥ୍ୟ ଅଧିକାରୀ, ୧୧୧ ଜଣ ନର୍ସିଂ ଅଫିସର୍, ୩୨ ଜଣ ବରିଷ୍ଠ ପ୍ରୟୋଗଶାଳା ସହାୟକ, ୬ ଜଣ କ୍ଲିନିକାଲ୍ ମନୋବିଜ୍ଞାନୀ, ୧୨ ଜଣ ମନସ୍ତତ୍ଵ ସାମାଜିକ କର୍ମୀ ରହିଛନ୍ତି । ସେହିପରି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଅଧିନରେ ୮୧ ଜଣ ଅଧ୍ୟାପକ ଷ୍ଟେଜ-୧ ଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯିବ । ବାଣିଜ୍ୟ ଓ ପରିବହନ ବିଭାଗ ଅଧିନରେ ମୋଟ୍ ୬୩ ଜଣଙ୍କୁ ନିଯୁକ୍ତି ପ୍ରଦାନ କରାଯିବ, ଯେଉଁଥିରେ ୪୦ ଜଣ ମୋଟରଯାନ କନିଷ୍ଠ ଇନ୍ସପେକ୍ଟର ଓ ୨୩ ଜଣ ଟ୍ରାଫିକ୍ କନଷ୍ଟେବଳ ଅଛନ୍ତି । ଏଥିସହ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧିନରେ ୪୯ ଜଣ ଗ୍ରାମପଞ୍ଚାୟତ ଉନ୍ନୟନ ଅଧିକାରୀଙ୍କୁ ନିଯୁକ୍ତି ପ୍ରଦାନ କରାଯିବ । ଅବକାରୀ ବିଭାଗ ଅଧିନରେ ୩୨ ଜଣ ଅବକାରୀ ସବ୍ ଇନ୍ସପେକ୍ଟର, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଅଧିନରେ ୧୦ ଜଣ କନିଷ୍ଠ ଷ୍ଟେନୋଗ୍ରାଫର, ଜଣେ ଫିଜିଓଥେରାପିଷ୍ଟ, ଜଣେ ମେଡିକାଲ୍ ସାମାଜିକ କର୍ମୀ, ୪ ଜଣ ଅପରେସନ୍ ଥିଏଟର ଟେକ୍ନିସିଆନ୍, ଜଣେ ସିଏସଏସଡ଼ି ଟେକ୍ନିସିଆନ, ଜଣେ ସିଏସଏସଡ଼ି ସହକାରୀ, ଜଣେ ଡାର୍କ ରୁମ୍ ସହକାରୀ ଭାବରେ ନିଯୁକ୍ତି ପାଇବେ ।
ନିଯୁକ୍ତି ମେଳା ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ସେହିପରି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକ, ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ବୈଷୟିକ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ମନ୍ତ୍ରୀ ଡ଼ ମୁକେଶ ମହାଲିଙ୍ଗ, ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା, ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ଵାଇଁ, ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜା ଓ ବିଭାଗୀୟ ସଚିବ ପ୍ରମୁଖ ମଧ୍ୟ ଉପସ୍ଥିତ ରହିବେ।