ସଂଚାର ବ୍ୟୁରୋ: ଜାତି ପ୍ରଥାର ଘୃଣ୍ୟ ରୂପ। ଅନ୍ୟଜାତିରେ ବାହା ହୋଇଥିଲା ବୋଲି ମୃତ୍ୟୁ ପରେ ନିଜ ରକ୍ତ ସମ୍ପର୍କୀୟ ବି ପର କଲେ। ଶବ ସତ୍କାର ପାଇଁ କେହି ଆସିଲେ ନାହିଁ। ଶବ ସତ୍କାର କଲା ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର। ଆଜି ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲାରେ । ଅମ୍ବାଭୋନା ଥାନା ଅନ୍ତର୍ଗତ ସାନ ସରେଇପାଲି ଗାଁର ସିମନ୍ତ ମିର୍ଧା ୬ ବର୍ଷ ତଳେ ଝାରସୁଗୁଡା ଜିଲ୍ଲା ବେଲପାହାଡ ଅଞ୍ଚଳରେ ଅନ୍ୟ ଏକ ଜାତିର ଝିଅ ସହିତ ପ୍ରେମ ବିବାହ କରିଥିଲେ। ଅନ୍ୟଜାତିରେ ପ୍ରେମ ବିବାହ କରିଥିବାରୁ ଜାତିରେ ବାସନ୍ଦ ହୋଇଥିଲେ । ତେବେ ଘର ଭାଗ ବଣ୍ଟାକୁ ନେଇ ସାନ ଭାଇ ରାମକୃଷ୍ଣଙ୍କ ଠେଙ୍ଗା ମାଡ଼ରେ ସୀମନ୍ତଙ୍କ ପ୍ରାଣବାୟୁ ଉଡିଯାଇଥିଲା । ଅମ୍ବାଭୋନା ପୋଲିସ ରାମକୃଷ୍ଣ ମିର୍ଦ୍ଧାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସହ ସିମନ୍ତଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା । ସିମନ୍ତ ଅନ୍ୟଜାତିରେ ବାହା ହୋଇଥିବାରୁ ପରିବାର ସମାଜରେ କେହି ଧରାଛୁଆଁ ଦେଇନଥିଲେ । ମୃତଦେହ ହସ୍ପିଟାଲ ବାରଣ୍ଡାରେ ପଡିରହିଥିବା ବେଳେ ଅମ୍ବାଭୋନା ପୋଲିସର ଅନୁରୋଧ କ୍ରମେ ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ତରଫରୁ ସ୍ଥାନୀୟ ପିପଳମୁଣ୍ଡା ସ୍ୱର୍ଗ ଦ୍ୱାରରେ ସିମନ୍ତଙ୍କ ଶବ ସତ୍କାର କରାଯାଇଥିଲା । ସିମନ୍ତଙ୍କ ସ୍ତ୍ରୀ ଓ ମା’ ସମେତ ପ୍ରାୟ ୬ ବର୍ଷର ଝିଅ ମୃତ୍ୟୁ ସମୟରେ ଉପସ୍ଥିତ ରହିଥିଲେ।