ଭୁବନେଶ୍ୱର : ଶ୍ରୀଲିଙ୍ଗରାଜଙ୍କ ଶୀତଳ ଷଷ୍ଠୀ ଉତ୍ସବପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ହର -ପାର୍ବତୀଙ୍କ ବିବାହ ଉତ୍ସବ ପାଇଁ ଚଳଚଞ୍ଚଳ ହୋଇ ଉଠିଛି ଏକାମ୍ର କ୍ଷେତ୍ର। ଚଣ୍ଡୀ ଚାମୁଣ୍ଡାଙ୍କ ସହ ଦେବା ଦେବୀଙ୍କୁ ନିମନ୍ତ୍ରଣ ଦିଆଯାଇସାରିଛି। ଆଉ ଶିବ ବିବାହ ପାଇଁ ସଜେଇ ହୋଇଛି ପୁରା ଏକାମ୍ରକ୍ଷେତ୍ର ।
ରଙ୍ଗୀନ ଲିଚୁ ଲାଇଟ୍, ବଡ଼ ବଡ଼ ତୋରଣ ସହ ଆଲୋକ ମାଳାରେ ସଜେଇ ହୋଇଛି ଏକାମ୍ର କ୍ଷେତ୍ର। ଗୁରୁବାର ମହାଦେବଙ୍କ ମଙ୍ଗନ ଥିବାରୁ ପୂଜା ପଣ୍ଡା ସେବା ସମିତି ପକ୍ଷରୁ ବିଧି ଓ ପ୍ରଥା ଅନୁସାରେ ଆରମ୍ଭ ହୋଇଛି କାର୍ଯ୍ୟ।ଅଷ୍ଟ ସମ୍ଭୁ ଓ ଅଷ୍ଟଚଣ୍ଡୀଙ୍କ ନିକଟରେ ପୂଜାର୍ଚ୍ଚନା ସହ ଅଷ୍ଟଚଣ୍ଡୀଙ୍କୁ ନିମନ୍ତ୍ରଣ ମଧ୍ୟ କରାଯାଇଛି। ଶେଷରେ କେଦାର ଗୋରୀ ମନ୍ଦିରରେ ମଧ୍ୟ ପୂଜାର୍ଚ୍ଚନା କରାଯାଇଛି।
ଆଜି ଶୁକ୍ରବାର ରାତିରେ ମହାପ୍ରଭୁ ଲିଙ୍ଗରାଜ ମନ୍ଦିର ଛାଡ଼ ବଡ଼ ପଟୁଆରରେ ବରଯାତ୍ରୀ ଧରି କେଦାର ଗୌରୀ ମନ୍ଦିର ଯିବେ। ବିବାହ ଅନୁଷ୍ଠିତ ହେବା ପରେ ୩୧ତାରିଖ ରାତିରେ ପୁଣି କେଦାର ଗୌରୀ ମନ୍ଦିର ଛାଡ଼ି ମହାପ୍ରଭୁ ଲିଙ୍ଗରାଜ ମନ୍ଦିରକୁ ଫେରିବେ।