ସଂଚାର ବ୍ୟୁରୋ: ସ୍ବାସ୍ଥ୍ଯ ଉପରେ ଗୁରୁତର ପ୍ରଭାବ ପକାଉଛନ୍ତି ଅନେକ ଔଷଧ। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ୧୫୬ଟି ଫିକ୍ସଡ ଡୋଜ କମ୍ବିନେସନ ବା ଏଫଡିସି ମେଡିସିନକୁ ନିଷିଦ୍ଧ କରିଛନ୍ତି। ତନ୍ମଧ୍ଯରେ ରହିଛି ଆଣ୍ଟିବାୟୋଟିକ, ପେନକିଲର, ଆଣ୍ଟି ଆଲର୍ଜିକ ଡ୍ରଗ୍ସ, ଆନାଲଜେସିକ ଓ ମଲ୍ଟିଭିଟାମିନ। ସ୍ବାସ୍ଥ୍ଯ ମନ୍ତ୍ରାଳୟ ପକ୍ଷରୁ ଜାରି ଗେଜେଟ ବିଜ୍ଞପ୍ତି ଏହି ଘୋଷଣା କରାଯାଇଛି। ଗେଜେଟ ଅନୁସାରେ ଏହି ଔଷଧଗୁଡିକର ଉତ୍ପାଦନ, ମାର୍କେଟିଂ, ବଣ୍ଟନ ଆଦିକୁ ନିଷିଦ୍ଧ କରାଯାଇଛି। ଜ୍ବର ଓ ଉଚ୍ଚରକ୍ତଚାପ ସମ୍ପର୍କିତ କିଛି ଔଷଧକୁ ମଧ୍ଯ ନିଷିଦ୍ଧ କରାଯାଇଛି। କେନ୍ଦ୍ର ସରକାରଙ୍କ ଦ୍ବାରା ନିଯୁକ୍ତ ଏକ୍ସପର୍ଟ ଗ୍ରୁପର ସୁପାରିସ ତଥା ଡ୍ରଗ ଟେକନିକାଲ ଆଡଭାଇଜରି ଗ୍ରୁପର ପରାମର୍ଶ ଅନୁସାରେ ନିଷ୍ପତ୍ତି ନେଇଛନ୍ତି ସରକାର। ଆମିଲେଜ, ପ୍ରୋଟିଏଜ, ଗ୍ଲୁକୋମାଇଲେସ, ପେକ୍ଟିନେଜ, ଆଲଫା ଗାଲାକ୍ଟୋସିଡେଜ, ଲାକ୍ଟେଜ, ବିଟାଗ୍ଲୁକୋନେଜ, ସେଲୁଲେଜ, ଲିପେଜ, ବ୍ରୋମିଲେନ ଆଦି ବିଭିନ୍ନ ଉତ୍ପାଦର ଫିକ୍ସଡ ଡୋଜ କମ୍ବିନେସନକୁ ନିଷିଦ୍ଧ କରିଛନ୍ତି। ସେହିପରି ପେଟ କାଟିବା ଲାଗି ବ୍ଯବହୃତ ହେଉଥିବା ଓମପ୍ରେଜୋଲ ମାଗ୍ନେସିୟମ ଓ ଡାଇକ୍ଲୋମିନ ଏଚସିଏଲର କମ୍ବିନେସନ ଡୋଜ ଏବଂ ଯନ୍ତ୍ରଣା ଓ ବିଭିନ୍ନ ରୋଗରେ ହେଉଥିବା ଫୁଲାକୁ ହ୍ରାସ ଲାଗି ବ୍ଯବହୃତ ହେଉଥିବା ମେଫେନାମିକ ଏସିଡ ଓ ପାରାସିଟାମଲ ଇଞ୍ଜେକସନର କମ୍ବିନେସନ ଡୋଜକୁ ବି ନିଷିଦ୍ଧ କରାଯାଇଛି। ନିଷିଦ୍ଧ ଔଷଧ ମଧ୍ଯରେ ରହିଛି ଆଣ୍ଟିଆଲର୍ଜିକ ମେଡିସିନ, ନାକଭିତ୍ତିକ ଔଷଧ ଓ ଅନେକ ସିରପ।