ଶ୍ରୀଲଙ୍କାରେ ଆୟୋଜିତ ତ୍ରିରାଷ୍ଟ୍ରୀୟ ସିରିଜ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ମହିଳା ଦଳ ଚାମ୍ପିଅନ୍ ହୋଇଛି । ଆଜି ପ୍ରେମଦାସା ଷ୍ଟାଡିୟମରେ ଖେଳା ଯାଇଥିବା ଫାଇନାଲ ମ୍ୟାଚରେ ସ୍ମୃତି ମାନ୍ଧାନାଙ୍କ ଚମତ୍କାର ଶତକ ଏବଂ ସ୍ନେହା ରାଣା ଓ ଅମରଜିତ କୌରଙ୍କ ବଢ଼ିଆ ବୋଲିଂ ସହାୟତାରେ ଭାରତ ୯୭ ରନର ବଡ଼ ବିଜୟ ସହ ଚାମ୍ପିଅନ୍ ଟ୍ରଫି ହାସଲ କରିଛି ।
ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ୫୦ ଓଭରରେ ୭ ୱିକେଟ୍ ହରାଇ ୩୪୨ ରନର ବଡ଼ ସ୍କୋର କରିଥିଲା । ସ୍ମୃତି ୧୦୧ ବଲରେ ୧୧୬ ରନ୍ କରିଥିଲେ । ଏହା ତାଙ୍କର ୧୧ତମ ଦିନିକିଆ ଶତକ । ଅନ୍ୟମାନଙ୍କ ମଧ୍ୟରେ ପ୍ରତୀକା ରାୱଲ ୩୦, ହରଲିନ୍ ଦେଓଲ ୪୭, ଅଧିନାୟକ ହରମନପ୍ରୀତ କୌର ୪୧, ଜେମିମା ରଡ୍ରିଗୁଏଜ୍ ୪୪, ଦୀପ୍ତି ଶର୍ମା ଅପରାଜିତ ୨୦ ରନ୍ କରିଥିଲେ ।
ଜବାବରେ ଶ୍ରୀଲଙ୍କା ଦଳ ୪୮.୨ ଓଭରରେ ଅଲଆଉଟ୍ ହୋଇ ୨୪୫ ରନ୍ କରି ପାରିଥିଲା । ଅଧିନାୟିକା ଚାମରି ଆଟାପଟୁ ସର୍ବାଧିକ ୫୧ ରନ୍ କରିଥିଲେ । ଭାରତ ପକ୍ଷରୁ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିବା ସ୍ନେହା ରାଣା ୩୮ ରନରେ ୪, ଅମନଜିତ କୌର ୫୪ ରନରେ ୩ଟି ୱିକେଟ୍ ଦଖଲ କରିଥିଲେ । ସ୍ମୃତି ମନ୍ଧାନା ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି ।