ଚଳିତ ଆଇପିଏଲ୍ର ୪୪ତମ ଲିଗ୍ ମୁକାବିଲାରେ ଡିଫେଣ୍ଡି ଚାମ୍ପିଅନ୍ କୋଲକାତା ନାଇଟ ରାଇଡର୍ସ ଘରୋଇ ଗ୍ରାଉଣ୍ଡ୍ରେ ପଞ୍ଜାବ କିଙ୍ଗ୍ସକୁ ଭେଟିବ । ପଞ୍ଜାବ କିଙ୍ଗ୍ସ ଏହି ମ୍ୟାଚ୍ ଜିତି ପଏଣ୍ଟ ତାଲିକାର ଚତୁର୍ଥ ସ୍ଥାନକୁ ଉଠିବାକୁ ପ୍ରୟାସ କରିବ। ନାଇଟ୍ ରାଇଡର୍ସ ପାଇଁ ଏହି ମ୍ୟାଚ୍ ‘କର ବା ମର’ ପରିସ୍ଥିତି ସୃଷ୍ଟି କରିଛି । ପ୍ଲେ- ଅଫ୍ରେ ପ୍ରବେଶ କରିବାକୁ ହେଲେ ଏଣିକି ପ୍ରତ୍ୟେକ ମ୍ୟାଚ୍ ଜିତିବାକୁ ପଡ଼ିବ । ତେଣୁ ଆଜି ନାଇଟ ରାଇଡର୍ସ ସବୁ ଶକ୍ତି ଲଗାଇ ଜିତିବାକୁ ପ୍ରୟାସ କରିବ । ଫଳରେ ମ୍ୟାଚ୍ଟି ତୀବ୍ର ସଂଘର୍ଷପୂର୍ଣ୍ଣ ହେବା ନିଶ୍ଚିତ ।
ପଞ୍ଜାବ କିଙ୍ଗ୍ସ ୧୦ ପଏଣ୍ଟ ସହ ପଞ୍ଚମ ସ୍ଥାନରେ ରହିଛି । ଶେଷ ୬ଟି ମ୍ୟାଚ୍ରୁ ଅତି କମ୍ରେ ୩ଟି ମ୍ୟାଚ୍ ଜିତିଲେ ଦଳ ସହଜରେ ପ୍ଲେ-ଅଫ୍ରେ ପ୍ରବେଶ କରିପାରିବ। ନାଇଟ୍ ରାଇଡର୍ସ ୮ଟି ମ୍ୟାଚ୍ ଖେଳି ମାତ୍ର ୩ଟି ବିଜୟ ସହ ୬ ପଏଣ୍ଟ ଅର୍ଜନ କରିଛି ଓ ସପ୍ତମ ସ୍ଥାନରେ ରହିଛି । ପ୍ଲେ-ଅଫ୍ରେ ପ୍ରବେଶ କରିବାକୁ ହେଲେ ନାଇଟ୍ ରାଇଡର୍ସକୁ ଅତି କମ୍ରେ ୫ଟି ମ୍ୟାଚ ଜିତିବାକୁ ପଡ଼ିବ ।
ଉଭୟ ଦଳ ମଧ୍ୟରେ ୧୦ଦିନ ତଳେ ଖେଳାଯାଇଥିବା ମ୍ୟାଚ୍କୁ ଦର୍ଶକ ଏପର୍ଯ୍ୟନ୍ତ ଭୁଲି ନାହାନ୍ତି । ଗତ ୧୫ ତାରିଖରେ ପ୍ରଥମ ଭେଟ ହୋଇଥିଲା ଓ ପଞ୍ଜାବ କିଙ୍ଗ୍ସ ଉକ୍ତ ମ୍ୟାଚ୍ ଜିତିଥିଲା । ପ୍ରଥମେ ବ୍ୟାଟିଂ କରି ପଞ୍ଜାବ କିଙ୍ଗ୍ସ ମାତ୍ର ୧୧୧ ରନ କରିଥିଲା । ଜବାବରେ ନାଇଟ ରାଇଡର୍ସ ମାତ୍ର ୯୫ ରନ୍ରେ ଅଲ୍ ଆଉଟ୍ ହୋଇଯାଇଥିଲା ।
ଇଡେନ ଗାର୍ଡେନ୍ସରେ ଉପସ୍ଥିତ ଦର୍ଶକଙ୍କ ନଜର ରହିବ ଶ୍ରେୟାସ ଆୟରଙ୍କ ଉପରେ । ଆୟର ଗତ ବର୍ଷ ନାଇଟ୍ ରାଇଡର୍ସର ନେତୃତ୍ୱ ନେଇଥିଲେ । ତାଙ୍କ ଅଧିନରେ ଦଳ ଚାମ୍ପିଅନ୍ ଆଖ୍ୟା ଅର୍ଜନ କରିଥିଲା । ମାତ୍ର ସବୁ ପ୍ରଶଂସା ନେଇଥିଲେ ମୁଖ୍ୟ କୋଚ ଗୌତମ ଗମ୍ଭୀର। ଏଥର ମେଗା ନିଲାମ ପୂର୍ବରୁ ନାଇଟ ରାଇଡର୍ସ ଆୟରଙ୍କୁ ରିଟେନ କରିନଥିଲା । ଏଥର ସେ ପଞ୍ଜାବ କିଙ୍ଗ୍ସର ନେତୃତ୍ୱ ନେଉଛନ୍ତି ଓ ଚମତ୍କାର ଫର୍ମରେ ରହିଛନ୍ତି । ୨୦୦ରୁ ଊଦ୍ଧ୍ୱର୍ ଷ୍ଟ୍ରାଇକ ରେଟ୍ରେ ସେ ରନ୍ ସଂଗ୍ରହ କରୁଛନ୍ତି । ଆଜି ଇଡେନ ଗାର୍ଡେନ୍ସ ଦର୍ଶକଙ୍କ ଠାରୁ ଆୟରଙ୍କୁ ଭରପୁର ସମର୍ଥନ ମିଳିବା ଆଶା କରାଯାଉଛି