ସଂଚାର ବ୍ୟୁରୋ: ପୁରୀ ଜିଲ୍ଲା ଡେଲାଙ୍ଗ ରତନପୁର ଗାଁର ୧୧ବର୍ଷର ନାବାଳକ ନିଖୋଜ ଘଟଣା। ପ୍ରତିବାଦରେ ଡେଲାଙ୍ଗ ଠାରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ଗ୍ରାମବାସୀ। ଫଳରେ ଗାଡ଼ି ଚଳାଚଳ ବନ୍ଦ ହୋଇଯାଇଛି। ରାସ୍ତାରେ ଅଟକି ରହିଛି ଗାଡ଼ିମୋଟର। ପଟ୍ଟନାଇକିୟା ଖୋର୍ଦ୍ଧା ଓ କଣାସକୁ ଯାତାୟାତ ଠପ୍ ହୋଇଛି। ରତନପୁର ଗାଁର ଆଶିର୍ବାଦ ସାହୁ ନିଖୋଜ ଘଟଣାକୁ ୬ ଦିନ ବିତିଲାଣି। ତଥାପି ପୋଲିସର ହାତ ଖାଲି । କୁଆଡେ ଗଲା…? କିଏ ନେଲା ? କୋଉଁଠି ଅଛନ୍ତି ଆଶୀର୍ବାଦ ତାର କୋୖଣସି ପତ୍ତା ମିଳିନାହିଁ । ଗତକାଲି ପୁରୀ ଏସପି ଘଟଣା ସ୍ଥଳରେ ପହଁଞ୍ଚି ଆଶୀର୍ବାଦଙ୍କ ପରିବାରକୁ ଭେଟିଥିଲେ । ଏଥିସହ ସ୍ଥାନୀୟ ପୋଲିସ ଠାରୁ ତଥ୍ୟ ନେଇଛନ୍ତି ଏସପି ଭିନୀତ ଅଗ୍ରୱାଲ । ସିସିଟିଭି ଫୁଟେଜ, ଡଗ ସ୍କ୍ୱାର୍ଡ ସହିତ ସ୍ୱତନ୍ତ୍ର ପୋଲିସ ଟିମ ସନ୍ଧାନରେ ଲାଗିଛନ୍ତି । ତଥାପି ନିଖୋଜ ନାବାଳକ ଆଶୀର୍ବାଦଙ୍କର କିଛି ବି ସୁରାକ ପାଉନି ପୋଲିସ । ପୋଲିସର ତଦନ୍ତରେ ପ୍ରଶ୍ନ ଉଠାଇବା ସହ କ୍ରାଇମ ବ୍ରାଞ୍ଚ କିମ୍ବା ସିବିଆଇ ତଦନ୍ତ ଦାବି କରିଛନ୍ତି ଗ୍ରାମବାସୀ। ଗତ ୧୫ତାରିଖ ସଂନ୍ଧ୍ୟା ୬ଟାରୁ ନିଖୋଜ ଅଛନ୍ତି ରତନପୁର ଗାଁର ମାନସ ସାହୁଙ୍କ ୧୧ ବର୍ଷର ପୁଅ ଆଶୀର୍ବାଦ। ସନ୍ଧ୍ୟା ସମୟରେ ଭଉଣୀଙ୍କୁ ଟ୍ୟୁସନରେ ଛାଡ଼ିବାକୁ ଯାଇ ଆଉ ଫେରିନଥିଲେ। ପୁଅକୁ କେହି ଅପହରଣ କରି ନେଇଥିବା ଅଭିଯୋଗ କରିଛନ୍ତି ପରିବାର।