ଶିବ ତାଣ୍ଡବ ସ୍ତୋତ୍ରର ଓଡ଼ିଆ ଅନୁବାଦକୁ କେନ୍ଦ୍ର କରି କଟକ ଜିଲ୍ଲା ଦୌରାଜଜ୍ଙ୍କ ଅଦାଲତରେ ରୁଜୁ ମାମଲାରେ ପ୍ରତିପକ୍ଷ ୟୁଟ୍ୟୁବର୍ ତଥା ଅଭିନେତା ତପି ମିଶ୍ର ଜବାବ ଦାଖଲ ପାଇଁ ସମୟ ଲୋଡ଼ିଛନ୍ତି। ଅଦାଲତ ଏଥିପାଇଁ ଅନୁମତି ପ୍ରଦାନ କରିବା ସହ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୧ତାରିଖକୁ ଧାର୍ଯ୍ୟ କରିଛନ୍ତି । ଏଥିସହ ଏହି ମାମଲାରେ ପୂର୍ବରୁ ଜାରି ହୋଇଥିବା ଅନ୍ତରୀଣ ରହିତାଦେଶ ବଳବତ୍ତର ରହିଛି ।
ଶିବ ତାଣ୍ଡବର ଓଡ଼ିଆ ଅନୁବାଦକୁ ଗାନ କରି ତପି ମିଶ୍ର କପି ରାଇଟ୍ ଆଇନର ଉଲ୍ଲଂଘନ କରିଥିବା ଅଭିଯୋଗ ଆଣି ରତ୍ନା ଫିଲ୍ମସ୍ ପକ୍ଷରୁ କଟକ ଜିଲ୍ଲା ଦୌରାଜଜ୍ଙ୍କ ଅଦାଲତରେ ମାମଲା ରୁଜୁ କରାଯାଇଛି । ଅଦାଲତ ଏହି ମାମଲାକୁ ବିଚାର ପାଇଁ ଗ୍ରହଣ କରି ତପି ମିଶ୍ରଙ୍କୁ ନୋଟିସ୍ ଜାରି କରିଥିଲେ । ଏଥିସହ ଅନ୍ତରୀଣ ଆଦେଶରେ ବନସ୍ମିତା ପତିଙ୍କ ଦ୍ୱାରା ଲିଖିତ ଓଡ଼ିଆ ଶିବ ତାଣ୍ଡବ ସ୍ତୋତ୍ରକୁ ତପି ମିଶ୍ର ପ୍ରକାଶ ବା ପ୍ରସାରଣ କରିପାରିବେ ନାହିଁ ବୋଲି ରହିତାଦେଶ ଜାରି କରିଥିଲେ । ମଙ୍ଗଳବାର ଏହି ମାମଲାର ଶୁଣାଣି ହୋଇଥିଲା । ତପି ମିଶ୍ର ଜବାବ ଦାଖଲ କରିନପାରି ମହଲତ ଲୋଡିଥିଲେ । ଅଦାଲତ ଏଥିପାଇଁ ତାଙ୍କୁ ସମୟ ପ୍ରଦାନ କରିଛନ୍ତି ।