ଗ୍ରୀନଲାଣ୍ଡକୁ ନେଇ ବଢ଼ିଲା ଚର୍ଚ୍ଚା । ଡେନମାର୍କ ଅଧୀନରେ ଗ୍ରୀନଲାଣ୍ଡ ରହିବ ନା ଆମେରିକା ଅଧୀନରେ ରହିବ ଏହାକୁ ନେଇ ବଢିଛି ବିତର୍କ । ଡେନମାର୍କ ଅଧୀନରେ ରହିବାକୁ ଗ୍ରୀନଲାଣ୍ଡବାସୀ ଚାହୁଁନାହାନ୍ତି ବୋଲି କହିଛନ୍ତି ଆମେରିକା ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ । ସେପଟେ ଏହି ଦାବିକୁ ଅଗ୍ରାହ୍ୟ କରିଛନ୍ତି ଡେନମାର୍କ ପ୍ରଧାନମନ୍ତ୍ରୀ ମେଟ୍ଟେ ଫ୍ରେଡରିକସେନ । ବ୍ରସେଲସସ୍ଥିତ ନାଟୋ ମୁଖ୍ୟାଳୟରେ ରୁବିଓଙ୍କ ବିବୃତିକୁ ବିରୋଧ କରିଛନ୍ତି ଡେନମାର୍କ ପ୍ରଧାନମନ୍ତ୍ରୀ । ସେପଟେ ରୁବିଓଙ୍କ ମନ୍ତବ୍ଯକୁ ବିରୋଧ କରିଛନ୍ତି ଗ୍ରୀନଲାଣ୍ଡ ପ୍ରଧାନମନ୍ତ୍ରୀ ଜେନ୍ସ ଫ୍ରେଡରିକ ନେଲସନ । ସେ କହିଛନ୍ତି- ଡେନମାର୍କ ନା ଗ୍ରୀନଲାଣ୍ଡ ନା ଆମେରିକାରେ ରହିବାକୁ ଚାହେଁନା । କୌଶଳଗତ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ଗ୍ରୀନଲାଣ୍ଡକୁ ନେବା ଲାଗି ବର୍ତ୍ତମାନ ଆମେରିକା ପ୍ରାଥମିକତା ଦେଉଛି । ଉଭୟ ଗ୍ରୀନଲାଣ୍ଡ ଓ ଡେନମାର୍କ ଦୀର୍ଘ ଦିନ ଧରି ଆମେରିକାର ସହଯୋଗୀ ଭାବେ ରହିଆସିଛନ୍ତି । ଗ୍ରୀନଲାଣ୍ଡରେ ବି ଆମେରିକାର ସାମରିକ ଓ ଆଣବିକ କ୍ଷେପଣାସ୍ତ୍ର ଘାଟି ରହିଛି । ଏହି ଭୂଖଣ୍ଡରେ ଥିବା ଦାମୀ ପ୍ରାକୃତିକ ସମ୍ପଦ ଉପରେ ବି ଆମେରିକାର ଆଖି ରହିଛି । ଗତ ମାସରେ ଆମେରିକା ବିରୋଧରେ ଗ୍ରୀନଲାଣ୍ଡରେ ବିକ୍ଷୋଭ ହୋଇଥିଲା । ଗ୍ରୀନଲାଣ୍ଡରେ ଚାରିଟି ରାଜନୈତିକ ଦଳ ଆମେରିକାର ଏହି ପ୍ରସ୍ତାବକୁ ବିରୋଧ କରିଛନ୍ତି । ଗତ ମାର୍ଚ୍ଚରେ ଆମେରିକା ଉପରାଷ୍ଟ୍ରପତି ଜେ.ଡି. ଭାନ୍ସଙ୍କ ଗ୍ରୀନଲାଣ୍ଡ ଗସ୍ତ ପରେ ସେଠାରେ ଜୋରଦାର ପ୍ରତିବାଦ ଆନ୍ଦୋଳନ ହୋଇଛି ।