ମହାରାଷ୍ଟ୍ର ଫ୍ଲାଏଓଭରରୁ ଖସିଲା ତେଲ ଟ୍ୟାଙ୍କର । ବ୍ରିଜରୁ ଟ୍ୟାଙ୍କରଟି ଖସିଯିବାରୁ ତେଲଗୁଡିକ ରାସ୍ତାରେ ଢାଳିଯାଇଥିଲା । ଯାହାଫଳରେ ହଠାତ୍ ଟ୍ୟାଙ୍କରଟିରେ ନିଆଁ ଲାଗିଯାଇଥିଲା । ଫ୍ଲାଏଓଭର ବ୍ରିଜ ତଳେ ଥିବା ଲୋକମାନେ ନିଜ ଜୀବନକୁ ବଞ୍ଚାଇବା ପାଇଁ ଘଟଣାସ୍ଥଳରୁ ଦୌଡି ପଳାଇଥିଲେ । ସେହି ଘଟଣାର ସିସିଟିଭି ଭିଡିଓ ସାମ୍ନାକୁ ଆସିଛି ।
ମହାରାଷ୍ଟ୍ରର ମୁମ୍ବାଇ- ଅହମ୍ମଦାବାଦ ଏକ୍ସପ୍ରେସୱେରେ ଏକ ଦୁର୍ଘଟଣା ହୋଇଛି । ଯାହା ରବିବାର ପ୍ରାୟ ସନ୍ଧ୍ୟା ୫ଟା ସମୟରେ ଦେଖିବାକୁ ମିଳିଛି । ଟ୍ୟାଙ୍କର ଡ୍ରାଇଭର ଜଣକ ଭାରସାମ୍ୟ ହରାଇଥିଲେ । ଯାହାଦ୍ବାରା ହଠାତ୍ ତେଲ ଭର୍ତ୍ତି ଟ୍ୟାଙ୍କରଟି ଫ୍ଲାଏଓଭର ବ୍ରିଜ ତଳକୁ ଖସିପଡିଥିଲା । ଫଳରେ ସେହି ସ୍ଥାନରେ ଅଗ୍ନିକାଣ୍ଡ ସୃଷ୍ଟି ହୋଇ ଟ୍ୟାଙ୍କରରେ ମଧ୍ୟ ନିଆଁ ଲାଗିଯାଇଥିଲା । ଟ୍ୟାଙ୍କରଟି ଖସୁଥିବାର ଦେଖି ସେଠାରେ ଉପସ୍ଥିତ ଥିବା ଲୋକ ପ୍ରାଣ ବଞ୍ଚାଇଵା ପାଇଁ ସେହି ସ୍ଥାନରୁ ଦୌଡ଼ି ପଳାଇଥିଲେ । ଦୁର୍ଘଟଣାରେ ଡ୍ରାଇଭର ଗୁରୁତର ଭାବେ ଆହତ ହୋଇଛନ୍ତି । ଗୁରୁତର ଆହତ ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଦୁର୍ଘଟଣା କାରଣରୁ କିଛି ସମୟ ପାଇଁ ରାସ୍ତା ଅବରୋଧ ହୋଇଯାଇଥିଲା । ଯାହାର ଭିଡିଓ ସିସିଟିଭିରେ କଏଦ ହୋଇ ରହିଛି ।