ଘରୋଇ ସଂସ୍ଥାରେ ଋଣ କରିବା ନାମରେ ଠକାମିର ଶିକାର ହୋଇଛନ୍ତି ଅନେକ ମହିଳା । ମହିଳାଙ୍କ ଠାରୁ ଋଣ ସୁଝିବା ଆଳରେ ଅନ୍ୟଜଣେ ବାହାର ଅଞ୍ଚଳର ମହିଳା ଲକ୍ଷାଧିକ ଟଙ୍କା ନେଇ ଚମ୍ପଟ ମାରିବା ଘଟଣା ସାମ୍ନାକୁ ଆସିଛି । ଠକାମିର ଶିକାର ହୋଇଥିବା ମହିଳାମାନେ ଘସିପୁରା ଥାନରେ ହାଜର ହେଇ ଫେରାଦ ହୋଇଛନ୍ତି । ଆନନ୍ଦପୁର ପୌରପରିଷଦ ୧୬ ନଂ ୱାର୍ଡ଼ ଶୈଲଙ୍ଗ ଗାଁରୁ ନଜରକୁ ଆସିଛି ଅଭିଯୋଗ । ମହିଳାଙ୍କ ଅଭିଯୋଗ ଅନୁଯାୟୀ, କଇନିପୁରା ଗାଁର ନାରାୟଣ ବେହେରା ନାମକ ଜଣେ ବ୍ୟକ୍ତି ଜଣେ ମହିଳାଙ୍କୁ ଧରି ଶୈଲଙ୍ଗରେ ପହଞ୍ଚିଥିଲେ । ସେଠାରେ ମହିଳା ଜଣକ ସ୍ଥାନୀୟମହିଳାଙ୍କର ଲେବର କାର୍ଡ଼ କରାଇବାର ଲୋଭ ଦେଖାଇବା ସହିତ ୧ ଲକ୍ଷଟଙ୍କା ଋଣ କରାଇଦେବା ଏବଂ ୨୫ ପ୍ରତିଶତ ସବସିଡିରେ ୭୫ ପ୍ରତିଶତ ଋଣ ବିନା ସୁଧରେ ସୁଝିବାକୁ ଲୋଭ ଦେଖାଇଥିଲେ। ଏଥିରେ ମହିଳାମାନେ ରାଜି ହୋଇଥିଲେ। ପ୍ରଥମେ ରାମଚନ୍ଦ୍ରପୁର ଥାନା ଅଧୀନ ଘସିପୁରା ବ୍ଲକ ଗଡବାନ୍ଧଗୋଡା ଅଞ୍ଚଳରେ କାର୍ଯ୍ୟରତ ଧର୍ମା ଫାଇନାନ୍ସ ନାମକ ଏକ ଘରୋଇ ସଂସ୍ଥାରୁ ମହିଳାଙ୍କ ୩୫ ହଜାର ଟଙ୍କା ଲେଖାଏଁ ଋଣ ମଞ୍ଜୁର ହୋଇଥିଲା। ପରେ ଋଣ ସୁଝିଦେବା ପରେ ୧ ଲକ୍ଷ ଋଣ ମିଳିବ ବୋଲି କହି ସମ୍ପୃକ୍ତ ମହିଳା ଜଣକ ସମସ୍ତଙ୍କ ନିକଟରୁ ୩୫ ହଜାର ଲେଖାଏଁ ଟଙ୍କା ନେଇ ଯାଇଥିଲେ । ତେବେ ଋଣ ପ୍ରଦାନକାରି ସଂସ୍ଥାକୁ ଟଙ୍କା ନଶୁଝି ମହିଳା ଜଣକ କେଉଁଆଡେ ଚାଲି ଯାଇଥିବା ବେଳେ ଘଟଣାକୁ ନେଇ ଘସିପୁରା ଥାନାରେ ଅଭିଯୋଗ କରିଛନ୍ତି ମହିଳା ମାନେ। ଘସିପୁରା ପୋଲିସ ନାରାୟଣ ବେହେରା କୁ ଅଟକ ରଖି ତଦନ୍ତ ଚଳାଇଛି।

