ଅଦିିନିଆ ରଥଯାତ୍ରା ନ କରିବାକୁ ଇସ୍କନକୁ ଶ୍ରୀମନ୍ଦିର ପ୍ରଶାସନର ଅନୁରୋଧ। ଭୁବନେଶ୍ଵର ରାଜ୍ୟ ଅତିଥି ଭବନରେ ହୋଇଥିବା ବୈଠକରେ ଏହି ଅନୁରୋଧ କରାଯାଇଛି। ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା। ବୈଠକରେ ଇସ୍କନ ପ୍ରତିନିଧି, ଶ୍ରୀମନ୍ଦିର ପ୍ରତିନିଧି, ଜଗନ୍ନାଥ ଗବେଷକ ଓ ବିଶେଷଜ୍ଞ ପ୍ରମୁଖ ଯୋଗ ଦେଇ ନିଜ ନିଜ ପକ୍ଷ ରଖିଥିଲେ। ଶ୍ରୀମନ୍ଦିର ନୀତି ନିୟମ ଅନୁସାରେ ଦେଶରେ ଓ ବିଦେଶରେ ରଥଯାତ୍ରା କରିବାକୁ ନିବେଦନ କରାଯାଇଥିଲା। ହେଲେ ଏହି ନିବେଦନକୁ ଇସ୍କନ ମାନିବ କି ନାହିଁ ତାହା ଏ ବୈଠକରେ କୌଣସି ନିଷ୍କର୍ଷ ବାହାରି ପାରିନି। କାରଣ ଭାରତ ଭିତରେ ଇସ୍କନର ସବୁ ପ୍ରକାର ନିଷ୍ପତି ଗୋଟିଏ ସଂଗଠନ ନେଉଥିବା ବେଳେ ବିଦେଶରେ ଇସ୍କନର ନିଷ୍ପତି ଆମେରିକାର ଆଉ ଏକ ସଂଗଠନ ନେଇଥାଏ। ତେଣୁ ଭାରତ ବାହାର ନିଷ୍ପତି ସେହି ସଂଗଠନ ନେବ। ଆଜିର ବୈଠକରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କରାଯାଇଥିବା ଅନୁରୋଧକୁ ଅନ୍ତର୍ଜାତୀୟ ସଂଗଠନ ନିକଟରେ ଉପସ୍ଥାପନ କରାଯିବ ବୋଲି ଇସ୍କନ କର୍ତ୍ତୃପକ୍ଷ କହିଛନ୍ତି। ସେମାନେ ଯାହା ନିଷ୍ପତି ନେବେ ସେହି ଅନୁସାରେ କାର୍ଯ୍ୟ କରାଯିବ ବୋଲି କହିଛନ୍ତି ଇସ୍କନ କର୍ତ୍ତୃପକ୍ଷ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି, ତିଥି ଛାଡ଼ି ଅନ୍ୟ ଦିନରେ ରଥଯାତ୍ରା ପାଳନ ନ କରିବାକୁ ଇସ୍କନକୁ ପୂର୍ବରୁ ସରକାର କହିଥିଲେ। ଅଦିନିଆ ରଥଯାତ୍ରା ପାଳନ ହେଲେ ଧାର୍ମିକ ଭାବନା ରେ ଆଘାତ ହେଉଛି। ନିର୍ଦ୍ଦିଷ୍ଟ ତିଥିରେ ରଥଯାତ୍ରା କରିବା ସହ ଜଗନ୍ନାଥଙ୍କ ନୀତି ନିୟମ ମାନିବାକୁ ସରକାରଙ୍କ ପକ୍ଷରୁ ନିବେଦନ କରାଯାଇଛି।