ସଂଚାର ବ୍ୟୁରୋ: ଆସିକା ଧରାକୋଟ ବ୍ଲକ ବଡ଼ଗଡ଼ ଥାନା ଖାରିପଲ୍ଲୀରେ ଗୋଷ୍ଠୀ ସଂଘର୍ଷ। ଗୋଷ୍ଠୀ ସଂଘର୍ଷରେ ୩ ଜଣଙ୍କର ମୃତ୍ୟୁ ହୋଇଛି। ଗୋଟିଏ ଗୋଷ୍ଠୀର ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ଯ ଗୋଷ୍ଠୀର ଜଣକର ମୃତ୍ୟୁ ହୋଇଛି। ସଂଘର୍ଷରେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ସଂଘର୍ଷରେ ଗୋଟିଏ ଗୋଷ୍ଠୀର ମୃତ୍ୟୁ ହୋଇଥିବା ୨ ଜଣଙ୍କ ମଧ୍ୟରେ ରହିଛନ୍ତି ବାପା ଓ ପୁଅ। ସେମାନେ ହେଲେ ଖଦାଳ ବେହେରା ଓ ରତ୍ନାକର ବେହେରା। ଅନ୍ଯ ଗୋଷ୍ଠୀର ମୃତକ ହେଲେ ଭିକାରି ବେହେରା। ଗୁଣିଗାରେଡି ଘଟଣାକୁ ନେଇ ଆଜି ଖାରିପଲ୍ଲୀରେ ଏକ ବୈଠକ ବସିଥିଲା। ବୈଠକ ପରେ ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରଥମେ କଥା କଟାକଟି ଓ ପରେ ସଶସ୍ତ୍ର ଆକ୍ରମଣ ହୋଇଥିଲା। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତାହତଙ୍କୁ ନିକଟସ୍ଥ ଧରାକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରି ଘଟଣାର ତଦନ୍ତ ଚଳାଇଛି। ଘଟଣାସ୍ଥଳରେ ଏବେ ବି ଦୁଇଟି ମୃତଦେହ ପଡ଼ିରହିଛି। ଗାଁରେ ଚାପା ଉତ୍ତେଜନା ଲାଗି ରହିଛି।