ଭୁବନେଶ୍ବର: ପରଲୋକରେ ପୂର୍ବତନ ମନ୍ତ୍ରୀ ତଥା ଭୋଗରାଇର ପୂର୍ବତନ ବିଧାୟକ ଅନନ୍ତ ଦାସ । ରବିବାର ଭୋର ୩ଟା ୩୦ ସମୟରେ ଭୂବନେଶ୍ବର ସ୍ଥିତ ବାସଭବନରେ ୮୫ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି। ସେ ଦୀର୍ଘ ଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ହୋଇ ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉ ଥିଲେ। ତାଙ୍କ ପୁଅ ବିଶ୍ବଜିତ୍ ଦାସ ବିୟୋଗ ଖବର ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ତାଙ୍କ ବିୟୋଗ ଖବରରେ ରାଜନୈତକ ମହଲରେ ଶୋକର ଛାୟା ଖେଳିଯାଇଛି ।
ଭୋଗରାଇ ନିର୍ବାଚନ ମଣ୍ଡଳୀରୁ ଲଗାତାର ୪ଥର ବିଧାୟକ ଥିଲେ ଅନନ୍ତ । ୨୦୦୪ରୁ ୨୦୧୯ ପର୍ଯ୍ୟନ୍ତ ୪ଥର ବିଜେଡିରୁ ବିଧାୟକ ଥିଲେ । ନବୀନ ପଟ୍ଟନାୟକଙ୍କ ସରକାର ସମୟରେ ଅନନ୍ତ ଦାସ ଉଚ୍ଚ ଶିକ୍ଷା ଏବଂ ଶିଳ୍ପ ମନ୍ତ୍ରୀ ଥିଲେ । ୧୯୪୦ ମସିହା ଅଗଷ୍ଟ ୨୮ରେ ଭୋଗରାଇ ବ୍ଲକ ଅନ୍ତର୍ଗତ ବାଲିମ ପଞ୍ଚାୟତ କୁରୁଟିଆ ଗାଁରେ ଜନ୍ମଗ୍ରହଣ କରିଥିଲେ ଅନନ୍ତ ଦାସ । ଏମଏ ଏଲଏଲବି କରିବା ପରେ ସରକାରୀ ଚାକିରି କରିଥିଲେ । ଚାକିରି ଜୀବନରେ ସେ ଜଣେ ଦକ୍ଷ ପ୍ରଶାସନିକ ଅଧିକାରୀ ଭାବେ କାର୍ଯ୍ୟ ତୁଲାଇଥିଲେ ।
ପୂର୍ବତନ ମନ୍ତ୍ରୀ ଅନନ୍ତ ଦାସଙ୍କ ବିୟୋଗରେ ରାଷ୍ଟ୍ରପତିଙ୍କ ଶୋକ । ଏକ୍ସରେ ପୋଷ୍ଟ କରି ଶୋକ ବ୍ୟକ୍ତି କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । କିହିଲେ ଅନନ୍ତଙ୍କ ପରଲୋକରେ ମର୍ମାହତ ।
ପୂର୍ବତନ ମନ୍ତ୍ରୀ ତଥା ଭୋଗରାଇର ପୂର୍ବତନ ବିଧାୟକ ଅନନ୍ତ ଦାସଙ୍କ ବିୟୋଗରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଶୋକପ୍ରକାଶ କରିଛନ୍ତି। ଓଡ଼ିଶାର ପୂର୍ବତନ ମନ୍ତ୍ରୀ ତଥା ଭୋଗରାଇର ପୂର୍ବତନ ବିଧାୟକ ଅନନ୍ତ ଦାସଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ସେ ଜନପ୍ରତିନିଧି ଭାବରେ ଅନେକ ବିକାଶମୂଳକ କାର୍ଯ୍ଯ କରିଛନ୍ତି । ରାଜ୍ୟ ରାଜନୀତିକୁ ତାଙ୍କର ଯୋଗଦାନ ଚିର ସ୍ମରଣୀୟ ହୋଇରହିବ । ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି ।