ସଂଚାର ବ୍ୟୁରୋ: ରାଜ୍ୟରେ ଦିନକୁ ଦିନ ବଢୁଛି ତାପମାତ୍ରା। ପୂର୍ବ ତୁଳନାରେ ଗତକାଲି ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇଛି।୩୯ ଡିଗ୍ରୀ ସହ ରାଜ୍ୟର ସବୁଠୁ ଉତପ୍ତ ସହର ପାଲଟିଛି ଝାରସୁଗୁଡା। ସେହିଭଳି ବୌଦ୍ଧ ଓ ମାଲକାନଗିରି ୩୮ ଡିଗ୍ରୀ ପାର କରିଛି। ବୌଦ୍ଧରେ ୩୮.୫ ଡିଗ୍ରୀ ଓ ମାଲକାନଗିରି ୩୮.୪ ଡିଗ୍ରୀ ତାପାମାତ୍ରା ରେକର୍ଡ ହୋଇଛି । ଅନୁଗୁଳରେ ୩୭.୯, ସମ୍ବଲପୁରରେ ଓ ପାରଳାଖେମୁଣ୍ଡିରେ ୩୭.୮ ଡିଗ୍ରୀ, ବଲାଙ୍ଗୀରରେ ୩୭.୫, ହୀରାକୁଦରେ ୩୭.୧ ଏବଂ ଟିଟଲାଗଡରେ ୩୭ ଡିଗ୍ରୀ ପାରଦ ରେକର୍ଡ ହୋଇଛି । ବିଶେଷ କରି ପଶ୍ଚିମ ଓଡିଶା ସମେତ ଉପକୂଳ ଓଡିଶାରେ ବି ତାପମାତ୍ରା ବୃଦ୍ଧି ପାଇଛି। ଖୁବଶୀଘ୍ର ରାଜ୍ୟରେ ଦିନ ତାପମାତ୍ରା ୪୦ ଡ଼ିଗ୍ରୀ ସେଲସିୟସ ଟପିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ମାର୍ଚ୍ଚ ପ୍ରଥମ ସପ୍ତାହରୁ ହିଁ ଟାଇଁ ଟାଇଁ ଖରାରେ ଅସ୍ତବ୍ୟସ୍ତ ହୋଇଛି ଜନ ଜୀବନ । ଦିନ ୮ ଟା ପରଠୁ ଘରୁ ବାହାରିବା ଅସମ୍ଭବ ହୋଇପଡ଼ିଥିବା ବେଳେ ଆଗକୁ ସ୍ଥିତି ଆହୁରି ସଙ୍ଗିନ ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବିଶେଷ କରି ପଶ୍ଚିମ ଓଡିଶାରେ ଦିନ ତାପମାତ୍ରା ୪୦ ଡିଗ୍ରୀ ଟପିପାରେ ବୋଲି ଆକଳନ କରାଯାଇଛି। ଏବେ ରାଜ୍ୟରେ ମେଘମୁକ୍ତ ଆକାଶ ଥିବା ବେଳେ ଉତ୍ତର ପଶ୍ଚିମ ଭାରତରୁ ରାଜ୍ୟକୁ ଗରମ ପବନ ପ୍ରବାହିତ ହେଉଛି। ଏହାସହ ସୂର୍ଯ୍ୟଙ୍କ ଟାଣ କିରଣ ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି। ପଶ୍ଚିମ ଭାରତରେ ବର୍ଷା ନହେବା ଯୋଗୁ ସେଠାରେ ମଧ୍ୟ ପ୍ରବଳ ଗରମ ଅନୁଭୂତ ହେଉଛି । ସେଠାରୁ ଆସୁଥିବା ଗରମ ପବନ ପ୍ରଭାବରେ ରାଜ୍ୟରେ ତାତି ଅଧିକ ରହୁଛି । ଏଥର ମାର୍ଚ୍ଚ ମାସରେ ଅଧିକ ଗରମ ରହିବ ।ଆଗାମୀ ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରଚଣ୍ଡ ଖରା ହେବ। ଦିନର ତାପମାତ୍ରା ସ୍ବାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ସେଲସିୟସ ବୋଲି ଆକଳନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର। ବିଶେଷ କରି ନୂଆପଡା, ସମ୍ବଲପୁର, ବରଗଡ଼, ବୌଦ୍ଧ, ବଲାଙ୍ଗୀର, ସୋନପୁର, ସୁନ୍ଦରଗଡ, ଝାରସୁଗୁଡା, କଳାହାଣ୍ଡି, କନ୍ଧମାଳ, ଅନୁଗୁଳ, ଢେଙ୍କାନାଳ, ମାଲକାନଗିରି, ଭଦ୍ରକ ସମେତ ଭୁବନେଶ୍ୱର ରେ ତାପମାତ୍ରା ଉପରମୁହାଁ ହେବ। ତେଣୁ ପ୍ରବଳ ଖରା ସମୟରେ କାମ ନଥିଲେ ବାହାରକୁ ବାହାରନ୍ତୁ ନାହିଁ ।ବାହାରକୁ ଗଲେ ସତର୍କ ରହିବା ପାଇଁ ପରାମର୍ଶ ଦେଇଚି ପାଣିପାଗ କେନ୍ଦ୍ର।