ସଂଚାର ବ୍ୟୁରୋ: ପ୍ରଥମ ସ୍ତ୍ରୀଙ୍କ ଧାରଣା ପରେ ଦ୍ବିତୀୟ ବିବାହ କରୁଥିବା ସ୍ୱାମୀଙ୍କୁ ବେଦୀରୁ ଉଠାଇନେଲା ପୋଲିସ । ବୋରିଗୁମ୍ମା ଥାନା ଅଞ୍ଚଳରେ ଚର୍ଚ୍ଚାକୁ ଖୋରାକ ଯୋଗାଇଛି ଏହି ଘଟଣା । ଥାନା ସାମ୍ନାରେ ମହିଳା ଜଣକ ନିଜ ୧୪ ବର୍ଷୀୟ ପୁଅ ସହିତ ଏକ ବିବାହ କାର୍ଡ ଧରି ଧାରଣା ଦେବା ପରେ ଆକ୍ସନ ମୋଡକୁ ଆସିଥିଲା ପୋଲିସ । ମହିଳାଙ୍କଠାରୁ ସମସ୍ତ ଘଟଣା ବୁଝିବାପରେ ଦୁଇଟି ପୋଲିସ ଗାଡିରେ ଦୁଲାଗୁଡାରେ ପହଁଚିଥିଲା ପୋଲିସ । ସେଠାରେ ମହିଳାଙ୍କ ସ୍ବାମୀ ଜଣକ ବେଶ ଜାକଜମକରେ ଦ୍ବିତୀୟ ବିବାହ କରୁଥିଲେ । ବାଜା ବାଜିବା ସହିତ ଭୋଜିଭାତର ଆସର ଜମିଥିଲା । ହେଲେ ହଠାତ ପୋଲିସ ସେଠାରେ ପହଞ୍ଚି ବରକୁ ବେଦୀରୁ ଉଠାଇ ଆଣିଥିଲା । ପୂର୍ବରୁ ସ୍ବାମୀ ଦ୍ବିତୀୟ ବିବାହ କରୁଥିବା ଖବର ପାଇ ମହିଳା ଜଣକ ବୋରିଗୁମ୍ମା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ମହିଳାଙ୍କ ସ୍ବାମୀ ୧୭ ବର୍ଷ ତଳେ ତାଙ୍କୁ ପ୍ରେମ ବିବାହ କରିଥିଲେ । ସେମାନଙ୍କର ୧୬ ବର୍ଷର ଏକ ପ୍ଲସଟୁ ପଢୁଆ ପୁଅ ମଧ୍ଯ ଅଛି । ତା ସତ୍ତ୍ବେ ସ୍ବାମୀ ସେମାନଙ୍କୁ ଛାଡି ଦ୍ବିତୀୟ ବିବାହ କରୁଥିବା ଲିଖତ ଅଭିଯୋଗ କରିଥିଲେ । ସେପଟେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବେଳେ ବାହାଘର ଅଟକାଇ ବରକୁ ଥାନାକୁ ନେଇ ପଚରା ଉଚରା କରୁଛି। ପୋଲିସର ତଦନ୍ତ ପରେ ସ୍ପଷ୍ଟ ହେବ ମହିଳାଙ୍କ ଅଭିଯୋଗରେ ସତ୍ୟତା କେତେ ଏବଂ ପ୍ରଥମ ସ୍ତ୍ରୀ ଙ୍କର ଛାଡ ପତ୍ର ନହୋଇ ସ୍ୱାମୀ କିପରି ଦ୍ଵିତୀୟ ବିବାହ କରୁଥିଲେ ? ବରକୁ ପୋଲିସ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି ।