ପାକିସ୍ତାନର କରାଚିର ନ୍ୟାସନାଲ ଷ୍ଟାଡିୟମରେ ଖେଳାଯାଉଥିବା ଚାମ୍ପିଅନ୍ସ ଟ୍ରଫି-୨୦୨୫ର ଗ୍ରୁପ୍-ବିର ଶେଷ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ଇଂଲଣ୍ଡକୁ ପରାଜିତ କରିଛି। ଇଂଲଣ୍ଡର ଧାର୍ଯ୍ୟ ୧୮୦ ରନ୍ର ପିଛା କରି ଦକ୍ଷିଣ ଆଫ୍ରିକା ୨୯.୧ ଓଭରରେ ୩ ୱିକେଟ ହରାଇ ୧୮୧ ରନ୍ ସଂଗ୍ରହ କରିଛି। ଲଜ୍ଜାଜନକ ପରାଜୟ ସହିତ ଚାମ୍ପିଅନ୍ସ ଟ୍ରଫିରୁ ଇଂଲଣ୍ଡ ବାହାର ହୋଇଛି। ଇଂଲଣ୍ଡ ଦଳ ବିଜୟ ଖାତା ଖୋଲିପାରି ନାହିଁ।
ଦକ୍ଷିଣ ଆଫ୍ରିକା ପକ୍ଷରୁ ରୟାନ ରକେଲଟନ ୨୭ ରନ୍ କରିଥିବାବେଳେ ହେନରିଚ୍ କ୍ଳେସେନ୍ ୬୪ ରନ୍ କରିଥିଲେ। ସେହିପରି ରସାଇ ୱାନ ଦେର୍ ଡେସାନ ୭୨ ରନ୍ କରିଥିଲେ। ଇଂଲଣ୍ଡ ପକ୍ଷରୁ ଜୋଫ୍ରା ଆର୍ଚର ୨ଟି ୱିକେଟ ନେଇଥିବାବେଳେ ଆଦିଲ ରସିଦ୍ ଗୋଟିଏ ୱିକେଟ ନେଇଥିଲେ।
ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇ ୩୮.୨ ଓଭରରେ ଅଲଆଉଟ୍ ହୋଇ ୧୭୯ ରନ୍ କରିଥିଲା। ଫଳରେ ଦକ୍ଷିଣ ଆଫ୍ରିକା ପାଇଁ ବିଜୟ ଲକ୍ଷ୍ୟ ୧୮୦ ରନ୍ ରହିଥିଲା।ଦକ୍ଷିଣ ଆଫ୍ରିକା ବୋଲିଂର ସାମ୍ନା ନକରି ପାରି ଇଂଲଣ୍ଡ ଦଳ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଇଂଲଣ୍ଡ ପକ୍ଷରୁ ବେନ ଡକେଟ ୨୪ ରନ୍ କରିଥିବାବେଳେ ଜୋ ରୁଟ୍ ୩୭ ରନ୍ କରିଥିଲେ। ସେହିପରି ହ୍ୟାରି ବ୍ରୁକ୍ ୧୯ ରନ୍, ଜୋସ ବଟଲର ୨୧ ରନ୍, ଜେମି ଓଭରଟନ୍ ୧୧ ରନ୍, ଜୋଫ୍ରା ଆର୍ଚର ୨୫ ରନ୍ କରିଥିଲେ।