ଆଜି ଠାରୁ ଆରମ୍ଭ ହୋଇଛି ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ଦଶମ ଶ୍ରେଣୀ (ମାଟ୍ରିକ୍) ପରୀକ୍ଷା। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସମସ୍ତ ଛାତ୍ରଛାତ୍ରୀମାନଙ୍କର ଉଜ୍ଜ୍ବଳ ଭବିଷ୍ୟତ କାମନା କରିବା ସହ ଚାପମୁକ୍ତ ହୋଇ ପରୀକ୍ଷା ଦେବାକୁ ସେ ପରାମର୍ଶ ଦେଇଛନ୍ତି। ଏହାଛଡ଼ା ସେମାନେ କିପରି ପରୀକ୍ଷାରେ ଉତ୍ତମ ପ୍ରଦର୍ଶନ କରିବେ, ସେଥିପ୍ରତି ଯତ୍ନବାନ ହେବାକୁ ବି ପରାମର୍ଶ ଦେଇଛନ୍ତି। ଏଣେ ଶାନ୍ତିପୂର୍ଣ୍ଣ ଓ ତ୍ରୁଟିଶୂନ୍ୟ ପରୀକ୍ଷା ପରିଚାଳନା ଲାଗି ମୁଖ୍ୟମନ୍ତ୍ରୀ ଶିକ୍ଷକ, ଅଭିଭାବକ, ଛାତ୍ରଛାତ୍ରୀ ଓ ଜନସାଧାରଣଙ୍କ ସହଯୋଗ କାମନା କରିଛନ୍ତି।
ସକାଳ ୯ଟାରୁ ପରୀକ୍ଷା ଆରମ୍ଭ ହୋଇଛି। ଏଥିଲାଗି ସକାଳ ସାଢ଼େ ୭ଟା ବେଳୁ ପରୀକ୍ଷାକେନ୍ଦ୍ର ସମ୍ମୁଖରେ ଅଭିଭାବକ, ଛାତ୍ରଛାତ୍ରୀ ଓ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମଧ୍ୟ ଉପସ୍ଥିତ ଥିବା ଦେଖିବାକୁ ମିଳିଛି। ମାଟ୍ରିକ୍ ପରୀକ୍ଷା ସକାଳ ୯ଟାରୁ ଆରମ୍ଭ ହୋଇ ୧୧ଟା ୩୦ମିନିଟରେ ସରିବ। କେବଳ ଗଣିତ ପାଇଁ ଅତିରିକ୍ତ ୧୫ମିନିଟ୍ ମିଳିବ ଓ ଗଣିତ ପରୀକ୍ଷା ୧୧ଟା ୪୫ ମିନିଟରେ ସରିବ।