ସଂଚାର ବ୍ୟୁରୋ: ବସ୍ ଭଡା ରିହାତି ଦାବିରେ କଲେଜ ଛାତ୍ର ଛାତ୍ରୀଙ୍କ ବିକ୍ଷୋଭ ପ୍ରଦର୍ଶନ । ମୋ ବସ ସହ ଅନ୍ୟ ଘରୋଇ ବସରେ କଲେଜ ଛାତ୍ରଛାତ୍ରୀଙ୍କୁ ସ୍ବଳ୍ପ ଭଡା ଦାବିରେ ରାସ୍ତାରୋକ ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ପୁରୀ ଜିଲ୍ଲା ନିମାପଡ଼ା ଦୋଳବେଦୀ ଛକ ନିକଟରେ ଛାତ୍ର ଛାତ୍ରୀଙ୍କ ଦ୍ଵାରା ଏଭଳି ବିକ୍ଷୋଭ ପ୍ରଦର୍ଶନ ଦେଖିବାକୁ ମିଲିଥିଲା। ପ୍ରାୟ ୨ଘଣ୍ଟାରୁ ଉର୍ଦ୍ଧ୍ବ ରାସ୍ତାରୋକ କରି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ବସ ଭଡ଼ା ରିହାତି ନିମନ୍ତେ ନିମାପଡ଼ା ଅଞ୍ଚଳର ଆମ ନିମାପଡ଼ା ଛାତ୍ର ସଂଘ ପକ୍ଷରୁ ଅନେକ ଥର ଜିଲ୍ଲାପାଳ, ଉପ ମୁଖ୍ୟମନ୍ତ୍ରୀ ଓ ପରିବହନ ମନ୍ତ୍ରୀଙ୍କୁ ଲିଖିତ ଦାବିପତ୍ର ଦିଆ ଯାଇଥିଲା । ହେଲେ କେହି ଏହାକୁ କର୍ଣ୍ଣପାତ କରିନଥିବା ଛାତ୍ର ଛାତ୍ରୀ ମାନେ ଅଭିଯୋଗ କରି ଆଜି ରାଜ ରାସ୍ତାକୁ ଓହ୍ଲାଇଥିଲେ। ନିମାପଡ଼ା ଅଞ୍ଚଳର ବିଭିନ୍ନ କଲେଜର ୩ଶହରୁ ଅଧିକ ଛାତ୍ର ଛାତ୍ରୀ ରାଜରାସ୍ତାକୁ ଓହ୍ଲାଇ ରାସ୍ତାରୋକ କରିବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଯାହା ଫଳରେ ସାଧାରଣ ଯାତାୟତର ବାଧାପ୍ରାପ୍ତ ଉପୁଜିଥିଲା। ତେବେ ଘଟଣା ସ୍ଥଳରେ ନିମାପଡ଼ା ଏସଡ଼ିପିଓ ଜନାର୍ଦ୍ଦନ ପାଢ଼ୀ, ନିମାପଡ଼ା ମଣ୍ଡଳ ଉନ୍ନୟନ ଅଧିକାରୀ ଅଭିଜିତ ଷଡ଼ଙ୍ଗୀ ଏବଂ ନିମାପଡ଼ା ଥାନା ଅଧିକାରୀ ବାମଦେବ ସ୍ୱାଇଁ ପ୍ରମୁଖ ପହଞ୍ଚି ଛାତ୍ର ଛାତ୍ରୀ ମାନଙ୍କ ସହ ଆଲୋଚନା କରିବା ପରେ ଆନ୍ଦୋଳନ ହଟିଥିଲା । ତୁରନ୍ତ ଛାତ୍ର ସଂଘର ଦାବି ସରକାର ନମାନିଲେ ଆଗାମୀ ଦିନରେ ହଜାର ହଜାର ଛାତ୍ର ଛାତ୍ରୀ ରାଜ ରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦିଆଯାଇଛି ।