ଭୁବନେଶ୍ୱର : ବିଗତ ୨୪ ବର୍ଷର ଶାସନରେ ଆଇନ ଶୃଙ୍ଖଳା ପରିସ୍ଥିତି ଏତେ ଉତ୍ତମ ଥିଲା ଯେ’ ଦିନ ଦ୍ୱିପହରରେ ଜଣେ ମନ୍ତ୍ରୀଙ୍କୁ ହତ୍ୟା କରାଗଲା, କିନ୍ତୁ ଆଜି ପର୍ଯ୍ୟନ୍ତ ହତ୍ୟାର ଅସଲ ଉଦ୍ଦେଶ୍ୟ ଜଣାପଡ଼ିଲା ନାହିଁ। ସେମିତି ମହିଳା ହିଂସା ବିରୁଦ୍ଧରେ ଦଣ୍ଡ ହାର ଦୁଇ ଅଙ୍କ ମଧ୍ୟ ଛୁଇଁ ପାରିଲା ନାହିଁ। କେବଳ ମହିଳା ହିଂସା ନୁହେଁ, ବିଗତ ଦିନର ଆଇପିସିରେ ପଞ୍ଜୀକୃତ ଅପରାଧରେ ଦଣ୍ଡ ହାର ୧୨%ରୁ ବି କମ୍ ଥିଲା। ହେଲେ ଆମ ସରକାର ୨୪ ମିନିଟ୍ରେ କେବଳ ଆଇନ ଶୃଙ୍ଖଳା ନୁହେଁ ବହୁ ବଡ଼ ବଡ଼ ନିଷ୍ପତ୍ତି ନେଇଛି। ୨୪ ମିନିଟ୍ରେ ପ୍ରଥମ କ୍ୟାବିନେଟରେ ଧାନର କୁଇଣ୍ଟାଲ ପିଛା ୮୦୦ ଟଙ୍କା ଇନପୁଟ୍ ସହାୟତା ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନେଇ କାର୍ଯ୍ୟକାରୀ କରିଛନ୍ତି। ଅଥଚ ଚାଷୀଙ୍କୁ କୁଇଣ୍ଟାଲ ପିଛା ଯେଉଁ ୧୦୦ ଟଙ୍କା ବୋନସ୍ ଦେବା ପାଇଁ ମିଛ ପ୍ରତିଶୃତି ଦେଇ ଭଣ୍ଡିଥିଲେ। ସେଥିପାଇଁ ରାଜ୍ୟପାଳ ତାଙ୍କ ଅଭିଭାଷଣରେ ଯୁବସମାଜ ପାଇଁ ନିଯୁକ୍ତି, କୃଷକମାନଙ୍କ ପାଇଁ ସହାୟତା, ମହିଳା ସଶକ୍ତୀକରଣ ଓ ଅବହେଳିତ ସମ୍ପ୍ରଦାୟର ଅଧିକାରର ସୁରକ୍ଷା ଉପରେ ଗୁରୁତ୍ୱ ଆରୋପ କରି ଆମ ରାଜ୍ୟର ସାମଗ୍ରିକ ବିକାଶ ପାଇଁ ଆମ ସରକାରଙ୍କ ପ୍ରତିବଦ୍ଧତାକୁ ଅବତାରଣ କରିଛନ୍ତି।
ଗତ ଫେବୃୟାରୀ ୧୩ରେ ଚଳିତ ବର୍ଷ ପାଇଁ ଓଡ଼ିଶା ବିଧାନସଭାର ପ୍ରଥମ ଅଧିବେଶନରେ ମାନ୍ୟବର ରାଜ୍ୟପାଳ ତାଙ୍କ ଅଭିଭାଷଣ ଏହି ପବିତ୍ର ଗୃହରେ ଉପସ୍ଥାପନ କରିଥିଲେ । ମାନ୍ୟବର ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ମାନ୍ୟବର ସଦସ୍ୟମାନେ ବିଚାର ବିମର୍ଶ ତଥା ଆଲୋଚନା କରିଛନ୍ତି । ମୁଁ ଏ ଗୃହର ମାନ୍ୟବର ସଦସ୍ୟମାନଙ୍କୁ ଏହି ଆଲୋଚନାରେ ଭାଗନେଇ ତାଙ୍କର ସୁଚିନ୍ତିତ ମତାମତ ରଖି ଥିବାରୁ ଧନ୍ୟବାଦ ଜଣାଉଛି । ପ୍ରତ୍ୟେକ ବର୍ଷ ବିଧାନସଭାର ପ୍ରଥମ ଅଧିବେଶନକୁ ମାନ୍ୟବର ରାଜ୍ୟପାଳ ସମ୍ବୋଧନ କରିବା ଏକ ସାମ୍ବିଧାନିକ ବିଧି ବ୍ୟବସ୍ଥା । ଏହି ଗୃହରେ ରାଜ୍ୟ ବାସୀଙ୍କ ପାଇଁ ତାଙ୍କର ପ୍ରେରଣାଦାୟୀ ଅଭିଭାଷଣ ପାଇଁ ମାନ୍ୟବର ରାଜ୍ୟପାଳଙ୍କୁ ମୁଁ ଆନ୍ତରିକ କୃତଜ୍ଞତା ଜ୍ଞାପନ କରୁଅଛି । ତାଙ୍କ ଅଭିଭାଷଣରେ ଆମ ରାଜ୍ୟର ଉଜ୍ଜ୍ଵଳ ଭବିଷ୍ୟତ ପାଇଁ ଏକ ଦୂରଦର୍ଶୀ ମାର୍ଗ ପ୍ରସ୍ତୁତି ଉପରେ ସେ ଗୁରୁତ୍ଵ ଆରୋପ କରିଛନ୍ତି । ଯୁବସମାଜ ପାଇଁ ନିଯୁକ୍ତି, କୃଷକମାନଙ୍କ ପାଇଁ ସହାୟତା, ମହିଳା ସଶକ୍ତୀକରଣ ଏବଂ ଅବହେଳିତ ସମ୍ପ୍ରଦାୟର ଅଧିକାରର ସୁରକ୍ଷା ଉପରେ ଗୁରୁତ୍ୱ ଆରୋପ କରି ଆମ ରାଜ୍ୟର ସାମଗ୍ରିକ ବିକାଶ ପାଇଁ ଆମ ସରକାରଙ୍କ ପ୍ରତିବଦ୍ଧତାକୁ ଅବତାରଣ କରିଛନ୍ତି । ଏହି ଧନ୍ୟବାଦ ପ୍ରସ୍ତାବ ଉପରେ ଚାଲିଥିବା ଆଲୋଚନା ସମୟରେ ବିଭିନ୍ନ ବିରୋଧୀଦଳର ସଦସ୍ୟ ମାନେ ଗୋଟିଏ କଥା ବାରମ୍ବାର ତାଙ୍କ ଅଭିଭାଷଣରେ କହିଛନ୍ତି ଯେ ଆମ ସରକାର ଆଠ ମାସରେ ବିଶେଷ କିଛି କରି ନାହାନ୍ତି। ମୁଁ ଆପଣ ସମସ୍ତଙ୍କୁ କହିବାକୁ ଚାହେଁ ଯେ ଏପରି ତୁଳନାରେ ମୁଁ ବହୁତ ଆନନ୍ଦିତ, କାରଣ ୨୪ ବର୍ଷ ଅର୍ଥାତ ୨୯୦ ମାସର ବିଗତ ସରକାରଙ୍କ କାର୍ଯ୍ୟକାଳ ସହିତ ବିରୋଧୀଦଳ ମୋ ଆଠ ମାସର କାର୍ଯ୍ୟକାଳକୁ ତୁଳନା କରୁଛନ୍ତି । କାରଣ, ସେମାନେ ଚାହୁଁଛନ୍ତି ଗତ ୨୪ ବର୍ଷରେ ଯେତିକି ବିକାଶ ହୋଇଥିଲା, ମାତ୍ର ଆଠ ମାସରେ ଆମେ ତା’ ଠୁ ଅଧିକ ବିକାଶ କରି ଦେଖାଇ ଥାଆନ୍ତୁ । ଆମେ କରିଛୁ ମଧ୍ୟ। ବିଗତ ସରକାରଙ୍କ ୨୪ ବର୍ଷରେ ଓଡିଶା କେତେ ପାଇଲା, କେତେ ପାଇ ପାରିଥାନ୍ତା, ତାହା ଉପରେ ଆଲୋଚନା କଲେ, ଏକ ଲମ୍ବା ତାଲିକା ହୋଇଯିବ । ଏହି ପବିତ୍ର ଗୃହରେ ଆଗାମୀ ଦିନରେ ତାହା ଉପରେ ଆଲୋଚନା ପର୍ଯ୍ୟାଲୋଚନା ହେବ, ମୁଁ ବି ବିଭିନ୍ନ ଅବସରରେ ମୋର ମତାମତ ରଖିବି।
ବିଗତ ଦୁଇ ଦଶନ୍ଧିର ଶାସକ ଦଳ, ଏବଂ ବର୍ତ୍ତମାନର ବିରୋଧୀ ଦଳଙ୍କୁ ମୁଁ ମାନ୍ୟବର ବାଚସ୍ପତି ମହୋଦୟାଙ୍କ ମାଧ୍ୟମରେ ଏତିକି କହିବି ଯେ ଗତ ୨୪ ବର୍ଷରେ କୃଷି କ୍ଷେତ୍ରରେ ଏତେ ଅଗ୍ରଗତି ଆପଣ କରିଥିଲେ ଯେ ରାଜ୍ୟର ଚାଷୀଙ୍କ ଆୟ ସବୁ ରାଜ୍ୟ ମାନଙ୍କ ମଧ୍ୟରେ ନିମ୍ନରୁ ଦ୍ୱିତୀୟ । ଆମ ତଳେ କେବଳ ଝାଡ଼ଖଣ୍ଡ ହିଁ ରହିଛି । ଉତ୍କଳ ଘଣ୍ଟ କବି ଯଦୁମଣି କହିଥିଲେ, ‘ଛାମୁ ଯାହା ଦେଲେ ହରଷେ, ପାଉ ପାଉ ଗଲା ବରଷେ’। ଚାଷୀଙ୍କୁ କୁଇଣ୍ଟାଲ ପିଛା ଯେଉଁ ୧୦୦ ଟଙ୍କା ବୋନସ ଦେବା ପାଇଁ ମିଛ ପ୍ରତିଶୃତି ଦିଆ ଯାଇଥିଲା, ତାହା ପୂରଣ କରିବାରେ ବିଫଳ ହେଲେ । କିନ୍ତୁ, ଆମ ସରକାର ୨୪ ବର୍ଷ ନୁହେଁ, ବରଂ ୨୪ ମିନିଟରେ ପ୍ରଥମ କ୍ୟାବିନେଟରେ କୁଇଣ୍ଟାଲ ପିଛା ୮୦୦ ଟଙ୍କା ଇନପୁଟ ସହାୟତା ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନେଇ କାର୍ଯ୍ୟକାରୀ କରିଛନ୍ତି । ରାଜ୍ୟର ଅଧା
ଜନସଂଖ୍ୟାଙ୍କୁ ମହିଳା ସଶକ୍ତିକରଣ ନାଁ’ରେ ଭ୍ରମିତ କରି ୨୪ ବର୍ଷ ପର୍ଯ୍ୟନ୍ତ ସ୍ଲୋଗାନରେ ଚାଲିଗଲା। କିନ୍ତୁ, ଆମ ସରକାର ମାତ୍ର ୨୪ ମିନିଟରେ ରାଜ୍ୟର ପ୍ରାୟ ଏକ କୋଟି ମହିଳାଙ୍କୁ ବାର୍ଷିକ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ଦେବାକୁ ନିଷ୍ଫତ୍ତି ଗ୍ରହଣ କରି ବର୍ତ୍ତମାନ ସୁଦ୍ଧା ୯୮ ଲକ୍ଷରୁ ଅଧିକ ମହିଳାଙ୍କୁ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ପ୍ରଦାନ କରିସାରିଛନ୍ତି ।
ଏହି ସୁଭଦ୍ରା ଯୋଜନା ସହାୟତା ଏବଂ କୃଷକ ସମୃଦ୍ଧି ଯୋଜନା ଯୋଗୁଁ ଓଡିଶାର ମୁଣ୍ଡପିଛା ଆୟ, ବିଶେଷ ଭାବେ ଚାଷୀ ପରିବାରଙ୍କ ମାସିକ ଆୟରେ ନିଶ୍ଚିତ ଭାବେ ବୃଦ୍ଧି ହେବ। ଯଦି ତୁଳନା କରିବାକୁ ଚାହୁଁଛନ୍ତି, ତେବେ ଏହା ହେଉଛି ୨୪ ବର୍ଷର ସରକାର ବନାମ ୮ ମାସର ଆମ ସରକାର ମଧ୍ୟରେ ତୁଳନା । ଆମ ସରକାର ପାଇଁ ମହିଳା ସଶକ୍ତିକରଣ ଏକ ସ୍ଲୋଗାନ ନୁହେଁ। ସାମାଜିକ, ରାଜନୈତିକ ଏବଂ ଅର୍ଥନୈତିକ ସ୍ତରରେ ମା’ ମାନଙ୍କୁ ସଶକ୍ତ କରିବା ଆମର ଗୁରୁ ଦାୟିତ୍ଵ । ଏହି ପବିତ୍ର ଗୃହର ମାନ୍ୟବର ବାଚସ୍ପତି ମହୋଦୟା ଏବଂ ରାଜ୍ୟର ମାନ୍ୟବର ଉପମୁଖ୍ୟମନ୍ତ୍ରୀ ହେଉଛନ୍ତି ମହିଳା। ଉଭୟେ ନିଜ ନିଜ ଦାୟିତ୍ଵକୁ ଚମତ୍କାର ଭାବେ ତୁଲାଉଛନ୍ତି । ଏହା ହେଉଛି ପ୍ରକୃତ ମହିଳା ସଶକ୍ତିକରଣ । ଦେଶର ଯଶସ୍ଵୀ ପ୍ରଧାନମନ୍ତ୍ରୀ ମାନ୍ୟବର ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଦିଗଦର୍ଶନରେ ଲକ୍ଷପତି ଦିଦି ଯୋଜନା ଆମ ରାଜ୍ୟରେ ମଧ୍ୟ କାର୍ଯ୍ୟକାରୀ ହେଉଛି। ଜାତୀୟ ଗ୍ରାମୀଣ ଜୀବିକା ମିଶନ ଅଧୀନରେ “ଲକ୍ଷପତି ଦିଦି” ଅଭିଯାନର ଉଦ୍ଦେଶ୍ୟ ହେଉଛି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା ମାନଙ୍କୁ ବାର୍ଷିକ ଅତି କମରେ ୧ ଲକ୍ଷ ଟଙ୍କା ରୋଜଗାର କରିବାରେ ସାହାଯ୍ୟ କରିବା ।