ପ୍ରୟାଗରାଜ: ମହାକୁମ୍ଭ ସଙ୍ଗମସ୍ଥଳରେ ବୁଡ଼ ପକାଇଲେ ମହାମହିମ । ପ୍ରୟାଗରାଜ ତ୍ରିବେଣୀ ସଂଗମରେ ବୁଡ଼ ପକାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସୋମବାର ରାଷ୍ଟ୍ରପତି ପ୍ରୟାଗରାଜରେ ପହଞ୍ଚିବା ପରେ ନୌବିହାର କରିଥିଲେ । ନୌବିହାର ବେଳେ ଶହ ଶହ ସଂଖ୍ୟାରେ ବିଦେଶାଗତ ପକ୍ଷୀ ମାନଙ୍କୁ ଖାଦ୍ୟ ଖୁଆଇଥିଲେ। ସାଙ୍ଗରେ ଥିଲେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ରାଜ୍ୟପାଳ ଆନନ୍ଦୀବେନ ପଟେଲ। ବୁଡ଼ ପରେ ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା କରିବେ ରାଷ୍ଟ୍ରପତି । ପ୍ରୟାଗରାଜରେ ରାଷ୍ଟ୍ରପତି ଅପରାହ୍ଣ ୪ଟା ପର୍ଯ୍ୟନ୍ତ ରହିବା କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପ୍ରୟାଗରାଜରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । କୁମ୍ଭମେଳାରେ ଏପର୍ୟ୍ୟନ୍ତ ୪୦ କୋଟିରୁ ଅଧିକ ଲୋକ ବୁଡ଼ ପକାଇସାରିଲେଣି ବୋଲି ସୂଚନା ରହିଛି ।
ଏହାପରେ ରାଷ୍ଟ୍ରପତି ସନ୍ଧ୍ୟା ୫ଟା ୪୫ରେ ପ୍ରୟାଗରାଜରୁ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ । ରାଷ୍ଟ୍ରପତିଙ୍କ ଏହି ଗସ୍ତ କେବଳ ପ୍ରୟାଗରାଜ ପାଇଁ ଐତିହାସିକ ହେବ ନାହିଁ ବରଂ ଦେଶବ୍ୟାପୀ ସନାତନୀ ଭକ୍ତମାନଙ୍କ ପାଇଁ ଏକ ପ୍ରେରଣାଦାୟକ ମୁହୂର୍ତ୍ତ ହେବ। ଆଜି ରାଷ୍ଟ୍ରପତିଙ୍କ ଉପସ୍ଥିତି ମହାକୁମ୍ଭର ଧାର୍ମିକ, ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ଗୁରୁତ୍ୱକୁ ଏକ ନୂତନ ଦିଗ ଓ ବାର୍ତ୍ତା ଦେବ ।