ସଂଚାର ବ୍ୟୁରୋ: ଗୁଣପୁରକୁ ସ୍ବତନ୍ତ୍ର ବ୍ଳକ ମାନ୍ୟତା ଦାବିରେ ଶୋଭାଯାତ୍ରା । ଥୁଆମୂଳ ରାମପୁରର ବିଭିନ୍ନ ପଞ୍ଚାୟତରୁ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା । ଗୁଣପୁର ସମେତ, କର୍ଲାପାଟ, କିଆପଦର, ନାକୁରୁଣ୍ଡି, କେରପାଇ, ସିଲେଟ, ତଳାମପଦର, କାଣିଗୁମ୍ମା ଏବଂ ଥୁଆମୂଳ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ବ୍ୟାନର ଧରି ଶୋଭାଯାତ୍ରାରେ ଯାଇଥିଲେ ଶତାଧିକ ଲୋକେ । ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଅନୁଷ୍ଠିତ ଗ୍ରାମସଭାରେ ସରକାରଙ୍କୁ ଏନେଇ ଅବଗତ କରିବା ନିମନ୍ତେ ପ୍ରସ୍ତାବ ପାରିତ ହୋଇଥିଲା । ଏଥିରେ ପଞ୍ଚାୟତ ଗୁଡିକର ପୂର୍ବତନ ଏବଂ ବର୍ତ୍ତମାନ ସରପଞ୍ଚ, ସମିତି ସଭ୍ୟ, ଓ୍ବାର୍ଡ ମେମ୍ବର ଏବଂ ବୁଦ୍ଧିଜୀବୀ ସାମିଲ ହୋଇଥିଲେ । ୨୪ଟି ପଞ୍ଚାୟତକୁ ନେଇ ଗଠିତ ଥୁଆମୂଳ ରାମପୁର ବ୍ଲକର ଭୌଗଳିକ ସ୍ଥିତି ଯୋଗୁଁ ଏସବୁ ଅଞ୍ଚଳରେ ଆଖିଦୃଶିଆ ବିକାଶ ହେଇନଥିବା ଅଭିଯୋଗ ହେଉଛି । ପ୍ରାକୃତିକ ସମ୍ପଦ ସମ୍ପନ୍ନ ଏହି ଅଞ୍ଚଳରେ କର୍ଲାପାଟ ଅଭୟାରଣ୍ୟ, ଖଣ୍ଡୁଆଳ ମାଳି, ତିଜ୍ ମାଳି, କୁଟୃ ମାଳି, ଚମ୍ପାବନ ମାଳି ଭଳି ଅନେକ ବକ୍ସାଇଟ ଖଣି ରହିଛି । ଏହାସହ ଇନ୍ଦ୍ରାବତୀ, ନାଗାବଳୀ ଏବଂ ସଗଡା ଭଳି ବହୁ ଛୋଟବଡ ନଦୀ ଝରଣାର ଉତ୍ପତ୍ତି ହୋଇଛି । ଏଭଳି ଅନେକ ସାଧନ ଥାଇ ମଧ୍ୟ ଅଞ୍ଚଳ ଅବହେଳିତ ହୋଇ ରହିଛି । ଥୁଆମୂଳ ରାମପୁର ମୁଖ୍ୟାଳୟ କୁ ଯିବାକୁ ହେଲେ କିଛି ଗାଁକୁ ୬୦ରୁ ୭୦ କିଲୋମିଟର ଯିବାକୁ ପଡୁଛି । ତେଣୁ ବ୍ଲକ ମାନ୍ୟତା ପାଇଁ ଦାବି କରିଛନ୍ତି ଅଞ୍ଚଳବାସୀ ।.