ଭୁବନେଶ୍ବର : ମହିଳାଙ୍କ ପାଇଁ ହୋଇଥିବା ସୁଭଦ୍ରା ଯୋଜନାରେ ବର୍ତ୍ତମାନ ସୁଦ୍ଧା ୩ଟି ପର୍ଯ୍ୟାୟର ଟଙ୍କା ମିଳିଥିବା ବେଳେ ଚଳିତ ମାସରେ ଚତୁର୍ଥ ପର୍ଯ୍ୟାୟର ସୁଭଦ୍ରା ଟଙ୍କା ମିଳିବ। ରାଜ୍ୟରେ ୩ଟି ପର୍ଯ୍ୟାୟରେ ୮୦ଲକ୍ଷରୁ ଅଧିକ ମହିଳା ପ୍ରଥମ କିସ୍ତି ସୁଭଦ୍ରା ଟଙ୍କା ପାଇ ସାରିଲେଣି। ଚତୁର୍ଥ ପର୍ଯ୍ୟାୟରେ ଆଉ ୨୦ ଲକ୍ଷରୁ ଉର୍ଦ୍ଧ୍ବ ମହିଳାଙ୍କୁ ଟଙ୍କା ଦେବାକୁ ସରକାର ପ୍ରସ୍ତୁତି କରୁଛନ୍ତି। ଆକାଉଣ୍ଟ୍ ମିସ୍ମ୍ୟାଚ୍, କେୱାଇସି ଅପ୍ଡେଟ୍, ଅପ୍ଟ ଆଉଟ୍ ଭଳି କାରଣ ପାଇଁ ଲକ୍ଷାଧିକ ମହିଳାଙ୍କୁ ଏଥିରେ ସାମିଲ କରିବାରେ ସମସ୍ୟା ଉପୁଜିଥିଲା। ତେଣୁ ବାଦ୍ ପଡ଼ିଥିବା ମହିଳାଙ୍କୁ ଆଉ ଥରେ ସୁଯୋଗ ଦେବା ପାଇଁ ଜାନୁଆରିରେ ଟଙ୍କା ଦେବାକୁ ସରକାର ଚିନ୍ତା କରିଛନ୍ତି। ତେବେ ଏହାରି ମଧ୍ୟରେ ସୁଭଦ୍ରା ଯୋଜନାକୁ ନେଇ ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି।
ମହିଳାଙ୍କ ପାଇଁ ଉଦିଷ୍ଟ ଏହି ସୁଭଦ୍ରା ଯୋଜନାରେ ପୁରୁଷ ଆବେଦନ କରିିଥିବା ଜଣାପଡିଛି। ରାଜ୍ୟର ୧୫୭ ପୁରୁଷ ସୁଭଦ୍ରା ଯୋଜନାରେ ଆବେଦନ କରିଛନ୍ତି। ଏନେଇ ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡା। ସେ କହିଛନ୍ତି ମହିଳାଙ୍କ ପାଇଁ ହୋଇଥିବା ଏହି ସ୍କିମରେ ଆବେଦନ କରିଛନ୍ତି ପୁରୁଷ। ସର୍ଟିଙ୍ଗ ବେଳେ ଜଣାପଡିଲା ଏହି ତଥ୍ୟ। ସୁଭଦ୍ରା ପାଇଁ ୧୫୭ ଜଣ ପୁରୁଷ ଆବେଦନକାରୀ ଆବେଦନ କରିଛନ୍ତି। ସେମାନଙ୍କୁ ବାଦ ଦିଆଯାଇଛି। ଆଧାର କାର୍ଡର ବ୍ୟାଙ୍କ ଲିଂକେଜ ଡାଟା ଆସିବା ପରେ ସେମାନେ ପୁରୁଷ ବୋଲି ଜଣାପଡିଲା। ପୁଅଙ୍କ ନାମ ଓ ଝିଅଙ୍କ ନାମ ଏକାଭଳି ଥାଏ। ସ୍ପେଲିଙ୍ଗ ବି ଏକା ହୋଇଥାଏ। ତେଣୁ କଣ ପାଇଁ ସେମାନେ ଆବେଦନ କରିଛନ୍ତି ତାହା ଜଣାପଡିନି ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।