ସଂଚାର ବ୍ୟୁରୋ: ପ୍ରୟାଗରାଜରେ ଚାଲିଛି ମହାକୁମ୍ଭ ମେଳା। ପବିତ୍ର ମହାକୁମ୍ଭରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ସଙ୍ଗମରେ ସ୍ନାନ କରିବା ପାଇଁ ଦୂରଦୂରାନ୍ତରୁ ଛୁଟି ଆସୁଛନ୍ତି ସାଧୁ ସନ୍ଥ। ପ୍ରବଳ ଥଣ୍ଡା ସତ୍ତ୍ବେ ଗତକାଲି ପ୍ରାୟ ୫୦ ଲକ୍ଷରୁ ଅଧିକ ଭକ୍ତ ତ୍ରିବେଣୀ ସଙ୍ଗମରେ ବୁଡ ପକାଇଥିବା ଜଣାପଡିଛି।ସଙ୍ଗମରେ ବୁଡ ପକାଇଲେ ସବୁ ପାପ ଧୋଇଯିବା ସହ ପୁଣ୍ୟ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି। ଗତକାଲି ସନ୍ଧ୍ୟା ୬ ଟା ସୁଦ୍ଧା ପ୍ରାୟ ୫୦ ଲକ୍ଷରୁ ଅଧିକ ସାଧୁସନ୍ଥ ଓ ଶ୍ରଦ୍ଧାଳୁ ବୁଡ଼ ପକାଇଥିଲେ। ବହୁ ବିଦେଶୀ ମଧ୍ୟ ସଂଗମରେ ସ୍ନାନ କରି ପାଇଛନ୍ତି ଅନନ୍ୟ ଅନୁଭବ। ହୋମ ଯଜ୍ଞ ଓ ଆଳତି ସାଙ୍ଗକୁ ବେଦମନ୍ତ୍ରରେ ପ୍ରକମ୍ପିତ ହେଉଛି ପ୍ରୟାଗତୀର୍ଥର ପରିସୀମା।ଏହି ମହାକୁମ୍ଭରେ ଦେଶବିଦେଶର କୋଟି କୋଟି ଶ୍ରଦ୍ଧାଳୁ ସାମିଲ ହୋଇଛନ୍ତି। ଏହି ମହାକୁମ୍ଭ ମେଳା ୨୬ ଫେବୃଆରୀ ପର୍ଯ୍ୟନ୍ତ ଚାଲିବ। ଦେଢ ମାସ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମହାକୁମ୍ଭରେ ଯୋଗ ଦେବା ପାଇଁ ଦେଶ ବିଦେଶରୁ ବହୁ ସାଧୁସନ୍ଥ ଓ ଭକ୍ତଙ୍କ ସୁଅ ଛୁଟୁଛି।