ନୂଆଦିଲ୍ଲୀ : ଆଇଆଇଟି ବାବା ଭାବେ ଭାଇରାଲ ହେବା ପରେ ହଠାତ୍ ମହାକୁମ୍ଭରୁ ନିଖୋଜ ହୋଇଯାଇଛନ୍ତି ବାବା। ସେ ପ୍ରୟାଗରାଜ ମହାକୁମ୍ର ଆଶ୍ରମ ଛାଡି ଦେଇଛନ୍ତି। ସେ ଏବେ କୌଣସି ଅଜ୍ଞାତ ସ୍ଥାନକୁ ଚାଲିଯାଇଛନ୍ତି। କୁହାଯାଉଛି କି, ଗଣମାଦ୍ୟମରେ ପ୍ରସାରିତ ହେବା ପରେ ବାବାଙ୍କ ମାତା-ପିତା ତାଙ୍କୁ ଖୋଜିଖୋଜି ଆଶ୍ରମ ଆସି ପହଞ୍ଚିଥିଲେ ଯାହାର ଖବର ପାଇ ସେ ଆଶ୍ରମ ଛାଡି ଦେଇଛନ୍ତି। ତେବେ ମହାକୁମ୍ଭର ଚର୍ଚ୍ଚାର ବିଷୟ ପାଲଟିଛନ୍ତି ‘ଆଇଆଇଟି ବାବା’ ଓରଫ ଅଭୟ ସିଂହ। ପୂର୍ବତନ ଏରୋସ୍ପେସ ଇଞ୍ଜିନିୟର ସିଂହ ଏହି ମହାନ ଧାର୍ମିକ ମହାକୁମ୍ଭ ମେଳାକୁ ଆସି ଚର୍ଚ୍ଚିତ ହୋଇଛନ୍ତି। ବର୍ତ୍ତମାନ ସେ ମେଳା ଛାଡି ଚାଲିଯାଇଛନ୍ତି। ତେବେ ଗଣମାଧ୍ୟମର ଏକ ସାକ୍ଷାତକାରରେ ସେ କହିଥିଲେ ଯେ, ସେ ଶ୍ମଶାନରେ ଥିବାବେଳେ ହାଡ ଖାଉଥିଲେ। ଯାହା ଏବେ ଭାଇରାଲ ହେଉଛି।
ସେ କହିଥିଲେ, ଚାକିରି ଛାଡିବା ପରେ ମୁଁ କିଛି ଅଘୋରୀ ବାବାଙ୍କୁ ଭେଟିଥିଲି ଏବଂ ସାଧନା କରିଥିଲି। ସେଠାରେ ଆଉ ୩-୪ଜଣ ଲୋକ ବି ଥିଲେ। ଆମକୁ କାଳୀ ମା’ଙ୍କ ପ୍ରସାଦ ଭାବେ ମଦ ପିଇବାକୁ ଦିଆଯାଇଥିଲା। ମୁଁ ଅନେକ ଲୋକଙ୍କୁ ଭେଟିବା ସହ ଜଟା ବାନ୍ଧିଥିଲି। ମୋତେ ଅଘୋର ମନ୍ତ୍ର ବି ଦିଆଯାଇଥିଲା। ଏହା ପରେ ସେମାନେ ମୋତେ ଯାହା ଦେଲେ ମୁଁ ବାବା ଭୋଲେନାଥଙ୍କ ପ୍ରସାଦ ଭାବି ଖାଇଦେଇଥିଲି।